ଆଜି ଗଣେଶ ଚତୁର୍ଥୀ

ଆଜି ଗଣେଶ ଚତୁର୍ଥୀ ,ଗଜାନନଙ୍କ ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜିତ ହୋଇଛି ପୂଜା । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ଯେପରି ପ୍ରତିଯୋଗିତା ଲାଗିଛି । ପୂଜା ପାଇଁ ବିଦ୍ୟାଳୟ ଗୁଡ଼ିକରେ ରଙ୍ଗୀନ ସାଜସଜ୍ଜା ଦେଖିବାକୁ ମିଳିଛି ।  ସେପଟେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସମ୍ପୂର୍ଣ୍ଣ କଟକ ସହର । କେଉଁଠି ରାଷ୍ଟ୍ରପତି ଭବନ ରାଇସିନା ହିଲ ତ ପୁଣି କେଉଁଠି ବାରବାଟୀ ଷ୍ଟାଡିୟମର କ୍ଳକ୍ ଟାଓ୍ୱାର । ଗଜାନନଙ୍କ ପୂଜା ପାଇଁ କୋଭିଡ କଟକଣା ଯୋଗୁଁ ୨ ବର୍ଷ ଧରି ବନ୍ଦ ଥିବା ପୂଜା ଏଥର ବେଶ ଯାକଜମକରେ ହେଉଛି । ଚଳିତ ବର୍ଷ ସହରରେ କ୍ଳବ ଅନୁଷ୍ଠାନକୁ ମିଶାଇ ମୋଟ ୧୨୦୦ ମୂର୍ତ୍ତି ନିର୍ମାଣ ହୋଇଛି । ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ତିଆରି କରିଛନ୍ତି ।