ଆସିଲା ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର ୦୫/୦୭ :  ଆସିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ । ।  ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି। ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ମଙ୍ଗଳବାର ବ୍ୟବଚ୍ଛେଦ’ ରିପୋର୍ଟ ଆସିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।  ଏଥିସହ ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ଲ୍ୟାବ ପଠାଯାଇଛି ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

ଶ୍ୱାସରୁଦ୍ଧ ଯୋଗୁ ଝିଅର ମୃତ୍ୟ ହୋଇଥିବା ଘଟଣାକୁ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ଝିଅକୁ ମାରି ଦିଆଯାଇଥିବା କହିଛନ୍ତି ରୁଚିକାଙ୍କ ବାପା ।କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିବା ବେଳେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ।  ଗତ ୨ ତାରିଖ ପୂର୍ବାହ୍ନରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ।

୩ ସିନିୟରଙ୍କ ରାଗିଂ ଯୋଗୁ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ରୁଚିକା।ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା। ଝିଅକୁ ନ୍ୟାୟ ଦେବାକୁ ସେମାନେ ଲଗାଣ ବର୍ଷାରେ ବି ରାସ୍ତା ଉପରେ ଧାରଣାରେ ବସିଛନ୍ତି। ସେମାନଙ୍କ ସହ ବହୁ ଛାତ୍ର ସଙ୍ଗଠନ ସାମିଲ ହୋଇଛନ୍ତି। ହେଲେ ଏଯାଏ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇ ନାହାନ୍ତି।

ରାଗିଂ ଯୋଗୁ ରୁଚିକା ଆତ୍ମହତ୍ୟା କରିଛନ୍ତି ବୋଲି ସିଧାସଳଖ ସ୍ୱୀକାର କରିବାକୁ ରାଜ୍ୟ ସରକାର କୁଣ୍ଠାବୋଧ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗୃହରେ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।