କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ

ଭୁବନେଶ୍ୱର, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ୩ ନମ୍ବର ଗେଟ୍‌ ସମ୍ମୁଖ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାମକୃଷ୍ଣ ମିଶନ ଓ ମଠର ରାଜ୍ୟ ସମ୍ପାଦକ ସ୍ୱାମୀ ଆତ୍ମା ପ୍ରବାନନ୍ଦ ମହାରାଜ ଯୋଗଦେଇ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବଶକ୍ତିର ପ୍ରତୀକ ଭାବେ ସ୍ୱାମୀ ବିବେକାନନ୍ଦ ନିଜର କର୍ମ, ଦକ୍ଷତା ଓ ଆଧ୍ୟାତ୍ମିକତା ଶକ୍ତି ବଳରେ ଭାରତକୁ ସାରା ବିଶ୍ୱରେ ଶ୍ରେଷ୍ଠ ଭାବେ ପ୍ରତି।ଦନ କରି ଯାଇଛନ୍ତି । ତାଙ୍କର ଆଦର୍ଶ ଆଜି ବି ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହ ଦେଶ ଗଠନର ମାର୍ଗ ପ୍ରଦାନ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଏବଂ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପଶାସନ ସଚିବ ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରୋଗ୍ରାମ ଅଧିକାରୀ ନିବେଦିତା ଆଚାର୍ଯ୍ୟ ଓ ସଂଜୀବ ମଙ୍ଗରାଜ, ଓଏସ୍‌ଡି ବିଜୟ ରାଉତ ଓ ଅନିଲ ଚୌଧୁରୀଙ୍କ ସମେତ ବିଭାଗୀୟ କୋଚ୍‌ ଏବଂ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

#Sports#Youth Services Department #National Youth Day #dumanikhbar#odisha