ଖୋର୍ଦ୍ଧା, ୨୩ ଜାନୁଆରୀ – ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରୁ ଏକ ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ହତ୍ୟା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୃତକ ମନୋରଞ୍ଜନ ମହାପାତ୍ର (୩୫)ଙ୍କ ପତ୍ନୀ, ସମ୍ପର୍କିୟ ଭାଇ ଓ ଅନ୍ୟ ଜଣେ । ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରୁ ଏହି ଟ୍ରଲି ବ୍ୟାଗଟି ଉଦ୍ଧାର ହୋଇଥିଲା । ଡଗ୍ ସ୍କ୍ଵାଡ୍ ଓ ସାଇଂଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା । ଏସପି ସିଦ୍ଧାର୍ଥ କାଟାରିଆ, ସଦର ଏସଡିପିଓ ମାନସ ରଞ୍ଜନ ବାରିକ ସେଠାରେ ଛାନଭିନ୍ କରିଥିଲେ । ପରେ ମୃତକଙ୍କ ଶବକୁ ତାଙ୍କ ପତ୍ନୀ ଚିହ୍ନଟ କରିଥିଲେ । ମୃତକ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଳଭଦ୍ରପୁର ପଚାଂୟତ ଅନ୍ତର୍ଗତ ଲାଖପଡ଼ାର ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡିଥିଲା । ସେ ନାଚୁଣୀ ଅଂଚଳରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ । ଯୁବକଙ୍କୁ ଯୋଜନାବନ୍ଧ ଭାବେ ହତ୍ୟା ପରେ ଶବକୁ ଟ୍ରଲି ବ୍ୟାଗ୍ ରେ ଭର୍ତି କରି ଏଠାରେ ଫିଙ୍ଗି ଦିଆଯାଇଥଲା । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏ ସମ୍ପର୍କରେ ଅଧିକ ସୂଚନା ଦେଇପାରେ ।