ଦିଲ୍ଲୀ ଏମ୍ସରେ ନକ୍ସଲ ବିରୋଧୀ ଅପରେସନରେ ଆହତ ସୈନିକମାନଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ,: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଟ୍ରମା ସେଂଟର ପରିଦର୍ଶନ କରିଛନ୍ତି । ସେ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କୁରାଗୁଟ୍ଟାଲୁ ହିଲ୍ସ (ଏମ୍‌ସ୍‌)ରେ ୨୧ ଦିନିଆ ନକ୍ସଲ ବିରୋଧୀ ଅଭିଯାନରେ ଆହତ ହୋଇଥିବା ଚାରି ଜଣ ସୁରକ୍ଷା କର୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ଏହି ସମୟରେ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତର କୁର୍ରାଗୁଟ୍ଟାଲୁ ପର୍ବତରେ ୨୧ ଦିନିଆ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି । ଏହା ବ୍ୟତୀତ ଏଠାରୁ ୨ ଟନ୍ ରୁ ଅଧିକ ବିସ୍ଫୋରକ ସାମଗ୍ରୀ, ୧୫୦ ରୁ ଅଧିକ ବଙ୍କର, ୯ ଟନ୍ ରୁ ଅଧିକ ରାସନ୍ ସାମଗ୍ରୀ, ୪୫୦ ରୁ ଅଧିକ ଆଇଇଡି, ଅସ୍ତ୍ରଶସ୍ତ୍ର ତିଆରି ସାମଗ୍ରୀ ଏବଂ ନକ୍ସଲବାଦୀ ସାହିତ୍ୟ ମଧ୍ୟ ଜବତ କରାଯାଇଛି । କୋରାଗୁଟାଲୁ ପାହାଡରେ ହୋଇଥିବା ଅପରେସନରେ କୋବ୍ରା ବ୍ୟାଟାଲିୟନ ଆସିଷ୍ଟାଂଟ କମାଣ୍ଡାଂର ସାଗର ଗଣେଶ ବୋରାଡେ, ଏଚସି ମୁନେଶ ଚାନ୍ଦ ଶର୍ମା, କନଷ୍ଟେବଳ କୃଷ୍ଣ କୁମାର ଗୁରୁଜାର ଏବଂ କନଷ୍ଟେବଳ ଧନୁ ରାମ ଆହତ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆହତ ସୈନିକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେ କହିଥିଲେ ଯେ ସୈନିକଙ୍କ ବାହୁବଳର ଶକ୍ତି ସମସ୍ତେ ଦେଖୁଛନ୍ତି । ମୁଁ ସାହସୀ
ସୈନିକମାନଙ୍କ ସାହସ ଏବଂ ସମର୍ପଣକୁ ସଲାମ କରୁଛି ।