୧୨ ବର୍ଷ ର ନାବାଳକ ଅମ୍ରିତ ନିଖୋଜ ଘଟଣାର ପର୍ଦ୍ଦା ଫାସ୍ । ସେହିଗ୍ରାମର ସନ୍ତୋଷ ପଣ୍ତା ଙ୍କ ବଡ଼ପୁଅ ଭକ୍ତଦର୍ଶନ ପଣ୍ତା ଓ ସାନପୁଅ ସ୍ବପ୍ନପ୍ରସାଦ ପଣ୍ତା ଅମ୍ରିତ ଅପହରଣ ଘଟଣାର ମାଷ୍ଟରମାଇଣ୍ତ ଥିବାବେଳେ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କଲେଜ ପଢୁଆ ପୁଅ ସୁନୀଲ ପାଣିଗ୍ରାହୀ ତାଙ୍କୁ ସହଯୋଗ କରିଥିବା ଜଣାପଡିଛି। ଅମ୍ରିତ ର ବାପା ପୂର୍ଣ୍ଣଚନ୍ଦ୍ର ଜଣେ ବ୍ୟବସାୟୀ। ସେ ଭକ୍ତଦର୍ଶନଙ୍କ ପିକ୍ଅପ୍ ଗାଡ଼ିରେ ହୋଲସେଲ୍ ସାମଗ୍ରୀ ବିକ୍ରି କରିବାକୁ ବିଭିନ୍ନ ସ୍ଥାନକୁ ନେଇଥାନ୍ତି। ପୂର୍ଣ୍ଣଚନ୍ଦ୍ର ୧୨ରୁ ୧୫ଲକ୍ଷ ଟଙ୍କାଦେଇ ଜାଗା କିଣିବାକୁ କହୁଥିବା ଜାଣିବାପରେ , ଭକ୍ତଦର୍ଶନ କିଭଳି ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ଟଙ୍କା ଆଦାୟ କରିବେ ସେହି ଯୋଜନା ସ୍ଥିର କରିଥିଲେ। କାରଣ ଏପଟେ ଭକ୍ତଦର୍ଶନ ବହୁତଟଙ୍କା ବାକିଆ ହୋଇଥିବାରୁ ସାହୁକାରମାନେ ଆସି ଦୁଆରେ ମାଗି ଅସ୍ତବ୍ୟସ୍ତ କରୁଥିଲେ। ଶେଷରେ ପୂର୍ଣ୍ଣଚନ୍ଦ୍ର୍ରଙ୍କ ପୁଅ ଅମ୍ରିତକୁ ଅପହରଣ କରି ବ୍ଲାକମେଲ୍ କରି ଟଙ୍କା ଆଦାୟ କରି ବକେୟା ଶୁଝିବା ପାଇଁ ଦୁଇଭାଇ ନିଷ୍ପତି ନେଇଥିଲେ। ଗତ ୧୫ ଡିସେମ୍ବର ସନ୍ଧ୍ୟାରେ ଅମ୍ରିତ ଟିଉସନ ରୁ ଫେରୁଥିବା ବେଳେ ଘର ଆଗରୁ ଅମ୍ରିତର ପାଟିବନ୍ଦକରି ପିକ୍ଅପ୍ ଗାଡ଼ିରେ ଉଠାଇ ଆଣିଥିଲେ। ଅମ୍ରିତ୍ ଆଖିରେ ପଟିବାନ୍ଧି ଦୁଇରୁ ତିନିଘଣ୍ଟା ବିଭିନ୍ନ ସ୍ଥାନରେ ବୁଲାଇ ସନ୍ତୋଷ ପଣ୍ତା ଙ୍କ ନିବୁଜ କୋଠରୀରେ ନେଇ ରଖିଥିଲେ। ଘର ଭିତରେ ରଖି ଅମ୍ରିତ କୁ ବଡ଼ଭାଇ ଭକ୍ତଦର୍ଶନ ଭୟଭୀତ କରୁଥିଲେ।ଏଠାରୁ ଖସିବାକୁ ଚେଷ୍ଟାକଲେ ଜୀବନରେ ମାରିଦେବୁବୋଲି ଧମକ ଦେଉଥିଲେ। କାଳେ ଅମ୍ରିତ୍ ସ୍ବର ବାରିପାରିବ ସେଥିପାଇଁ ଭକ୍ତଦର୍ଶନ, ସ୍ବପ୍ନପ୍ରସାଦ ଏବଂ ସହଯୋଗୀ ସୁନୀଲ ପାଣିଗ୍ରାହୀ ହିନ୍ଦିରେ କଥାବାର୍ତା କରୁଥିଲେ। ଏମାନେ ଏକ ସିମକାର୍ଡ ଯୋଗାଡ଼କରି ଅମ୍ରିତ ର ବାପାଙ୍କ ଠାରୁ ଅର୍ଥଦାବି କରିବେବୋଲି ଯୋଜନା କରିଥିଲେ ମାତ୍ର ସିମକାର୍ଡ ଯୋଗାଡ଼ ହୋଇ ପାରିନଥିବାରୁ ଅମ୍ରିତ୍ର ର ବାପା ଙ୍କୁ ଫୋନ୍ କରିପାରିନଥିଲେ। ନିଜ ଫୋନରୁ କଲକଲେ କାଳେ ଧରାପଡିଯିବେ ସେହିଭୟ ମଧ୍ୟ ତାଙ୍କମନରେ ରହିଥିଲା। ଏପଟେ ଅମ୍ରିତ୍ ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ର ନିଦ ହଜେଇ ଦେଇଥିଲା। ଦିନରାତି ଏକକରି ଗାଁରେ ଡେରା ପକାଇଥିଲା ପୁଲିସ।ପୁଲିସ ଘଟଣାର ଛାନଭିନ କରିବାକୁଯାଇ ସାଦାପୋଷାକରେ ସାହିସାହିରେ ବୁଲୁଥିଲା।ଏପଟେ ପୁଲିସର ଏକ ସ୍ଫେଶାଲ ଟିମ୍ ଗଞ୍ଜାମ,କନ୍ଧମାଳ ଏବଂ ବିଭିନ୍ନ ଜିଲ୍ଲା ଗ୍ରସ୍ତକରି ଅପହରଣକାରୀଙ୍କ ଉପରେ ନଜର ରଖିଥିଲା । ସାଦା ପୋଷାକରେ ବୁଲୁଥିବା ପୁଲିସ ଘର ଘର ଯାଞ୍ଚ କରାଯିବ ବୋଲି ଗାଁରେ କହି ବୁଲୁଥିଲେ।ଦରକାର ପଡିଲେ ସିବିଆଇ ଏହି ଘଟଣାର ତଦନ୍ତ କରିବା କଥା କହିଥିଲେ।ଏସବୁ ଘଟଣା ଅପହରଣକାରୀଙ୍କ ମୁଣ୍ତ ବିନ୍ଧାର କାରଣ ପାଲଟିଥିଲା।ଏହାପରେ ପୁଲିସ ଗ୍ରାମର ଏକ ଘରୁ ଅମ୍ରିତ କୁ ଉଦ୍ଧାରକରି ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଜ ହେପାଜତକୁ ନେଇଥିଲା। ମାଷ୍ଟରମାଇଣ୍ତ ଦୁଇଭାଇ ପୋଲିସ ଆଗରେ ଅମ୍ରିତ ଅପହରଣ ନେଇ ସମସ୍ତ ସତ କଥା ଓଗାଳିଛନ୍ତି। ବହୁ ତନାଘନା ପରେ ଆଜି ସେହିଗାଁର ସୁରେନ୍ଦ୍ର ପାଣିଗ୍ରାହିଙ୍କ ପୁଅ ସୁନିଲ ପାଣିଗ୍ରାହୀକୁ ପୁଲିସ ଉଠାଇ ଆଣିଛି। ଅମ୍ରିତର ବୟାନ ରେକର୍ଡ଼ କରାଯାଇ ବାପା ଏବଂ ମାଆଙ୍କ ସହିତ ଅମ୍ରିତକୁ ଛାଡ଼ିଦିଆ ଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଧରି ସାଇଣ୍ଟିଫିକ୍ ଟିମ୍ କୁରାଳ ଗ୍ରାମକୁ ଯାଇ ଅପହରଣକାରୀମାନେ ଅମ୍ରିତକୁ କେଉଁ ସ୍ଥାନରୁ କିପରି ଅପହରଣ କଲେ କେଉଁ କେଉଁ ସ୍ଥାନକୁ ନେଇଥିଲେ ଏବଂ କେଉଁଜାଗାରେ ରଖିଥିଲେ ତାର ଡେମୋ ଦେଖାଇଥିଲେ। ସବୁ ଘଟଣାର ସତ୍ୟତା ପଦାକୁ ଆସିବାପରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବବୋଲି ଓଡ଼ଗାଁ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଥିବା ବେଳେ ଆଜି ନୟାଗଡ଼ ଏସ ପି ଅଲେଖ ଚନ୍ଦ୍ର ପହି ଓଡ଼ଗାଁ ଆଦର୍ଶ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଡ଼ାକି ଅମ୍ରିତ ଅପହରଣ ଘଟଣା ର ସବିଶେଷ ସୂଚନା ପ୍ରଦାନ କରିଛନ୍ତି।