ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି : ଅମିତ ଶାହ

ଓଡିଶା ପାଇଁ ଅଚ୍ଛେ ଦିନ ଆସି ସାରିଛି

ଜୟ ଜଗନ୍ନାଥ କହି ଆରମ୍ଭ କଲେ ଭାଷଣ

କଟକ, ୦୮ ଅଗଷ୍ଟ – ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି । ଏବେ ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି । ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି ବୋଲି କହିବାର କାରଣ ହେଲା ସାଧାରଣ ଗରିବ ଆଦିବାସୀ ପରିବାରର ମହିଳା ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ହୋଇଛନ୍ତି । ଏହା ସାରା ଦେଶର ଜନଜାତି ବର୍ଗର ଲୋକମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ବନିଛନ୍ତି । ରିଜର୍ଭ ବ୍ୟାଙ୍କର ଗଭର୍ଣର ଜଣେ ଓଡିଶାର ବ୍ୟକ୍ତି ଅଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ଆଗରୁ କେବେ ମିଳି ନାହିଁ । ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି । ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି ।

ଅମିତ ଶାହ ତାଙ୍କର ଅଭିଭାଷଣା ଜୟ ଜଗନ୍ନାଥ କହି ଆରମ୍ଭ କରି ଅମିତ ଶାହ କହିଛନ୍ତି ଯେବେ ବି ମୁଁ ଓଡ଼ିଶା ଆସେ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଏ ।  ସେ କହିଛନ୍ତି ଯେ ସେ ଭାରତର ପଶ୍ଚିମ ତଟ ଗୁଜରାତର ଅହମଦାବାଦରୁ ଆସିଛନ୍ତି । ଅହମଦାବାଦରେ ମହା ପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି ଓଡିଶାରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି ।

ତାଙ୍କର ଅଭିଭାଷଣରେ ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବମ୍ବେର ପୂର୍ବତନ ରାଜ୍ୟପାଳ ଡ. ହରେକୃଷ୍ଣ ମହତାବଙ୍କର ଭୂୟସୀ ପ୍ରଶଂସା କରିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିଲେ । ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଟ୍ରଷ୍ଟି ଲୋକରଂଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ ।