ଆଜିଠୁ ୩ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, : କାଳବେଶାଖୀ ବର୍ଷା ଯୋଗୁଁ ମାର୍ଚ୍ଚ ମାସରେ ଏଯାଏଁ ତାପମାତ୍ରା ଏକପ୍ରକାର ସାଧାରଣ ଥିବା ବେଳେ ରାଜ୍ୟରେ ପୁଣି ଥରେ ଗରମ ବଢିଛି । ଆଗାମୀ ୩ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢିବ । ଏନେଇ ସତର୍କ ସୂଚନା ଜାରି ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ହୋଇଥିବା ସତର୍କବାଣୀ ଅନୁଯାୟୀ ମାର୍ଚ୍ଚ ୨୮ରୁ ପୁଣି ତାତି ବଢିବ । କିନ୍ତୁ ଅପ୍ରେଲ ୨ ତାରିଖ ବେଳକୁ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ବଢ଼ିବ । ଆଗାମୀ ୩ ଦିନରେ ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ । ଶୁକ୍ରବାର ପାଇଁ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ହିଟ୍ ୱେଭ୍ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି, ଯାହା ଫଳରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଉପରେ ରହିବ । ସେହିପରି ୨୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ୩୦ ତାରିଖ ପରେ ତାପମାତ୍ରା ୨ ଡିଗ୍ରୀ କମିବ । ଅପ୍ରେଲ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୁଣିଥରେ ଉପରମୁହାଁ ହୋଇଛି ଦିନର ତାପମାତ୍ରା । ବୌଦ୍ଧ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ପାଖରେ ପହଞ୍ଚିଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୯.୫, ସମ୍ବଲପୁରରେ ୩୯.୨, ହୀରାକୁଦରେ ୩୯, ପାରଳାଖେମୁଣ୍ଡିରେ ୩୮.୮, ଢେଙ୍କାନାଳ ଓ ସୋନପୁରରେ ୩୮.୩, ମାଲକାନଗିରିରେ ୩୮.୧, ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଛି । ଗୋପାଳପୁର, ପୁରୀ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସମସ୍ତ ସହରର ପାରଦ ୩୫ ଡିଗ୍ରୀ ଡେଇଁଯାଇଛି । ଭୁବନେଶ୍ୱର ଓ କଟକ ତାପମାତ୍ରା ପୁଣିଥରେ ୩୬ ଡିଗ୍ରୀ ପାର୍‌ ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୮ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା ଓ ବଲାଙ୍ଗୀର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । କ୍ରମଶଃ ଏହା ବୃଦ୍ଧି ପାଇ ୩୦ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ସୋନପୁର ତାପମାତ୍ରା ୪୨ ଡିଗ୍ରୀ ଟପିଯିବ ।