ପୁରୀ, ୨୫ ଜାନୁଆରୀ – ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର । ବଡ଼ଛତା ମଠରୁ ଆଜି ଅପରାହ୍ନରେ ଆସିବ ଏହି ବେଶ ସାମଗ୍ରୀ । ଆସନ୍ତାକାଲି ସକାଳେ ଭକ୍ତ ମାନେ ଶ୍ରୀଜୀଉଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିପାରିବେ ।
ଆଜି ସଂନ୍ଧ୍ୟାଧୂପ ପରେ ପ୍ରସ୍ତୁତ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରିବ । ବଡ଼ସିଂହାର ବେଶରେ ଏହା ଶ୍ରୀଜୀଉମାନଙ୍କୁ ଲାଗି ହେବ । ପରଦିନ ଅର୍ଥାତ୍ ଆସନ୍ତାକାଲି ଅବକାଶ ପୂର୍ବରୁ ବେଶ ଓଲାଗି ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଯେହେତୁ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହେବ ଓ ପରେ ପରେ ପହୁଡ଼ ନୀତି ଅନୁଷ୍ଠିତ ହେବ, ସେ ଦୃଷ୍ଟିରୁ ରାତିରେ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତିଙ୍କ ଏହି ଦୁର୍ଲ୍ଲଭ ପଦ୍ମବେଶ ଦର୍ଶନ କରିପାରିବେ ନାହିଁ । ଆସନ୍ତାକାଲି ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ପଦ୍ମବେଶ ଦର୍ଶନ କରିପାରିବେ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।