ଆସୁଛି ବାତ୍ୟା ଆସନୀ

ଡୁମାଣୀ ଟିଭି ,୧୭/୩ : ଆସୁଛି ବାତ୍ୟା ଆସନୀ। ଏହା ୨୦୨୨ର ପ୍ରଥମ ବାତ୍ୟା। ବଙ୍ଗୋପସାଗରର ଦକ୍ଷିଣପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ଏବଂ ନିକୋବାର ଦୀପରେ ମାଡ଼ ହେବ ଏବଂ ଧୀରେ ଧୀରେ ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ର ସ୍ଥଳରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଓ ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଗୁରୁବାର ମାର୍ଚ୍ଚ ୧୭ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଏହା ବଙ୍ଗୋପସାଗର ଦକ୍ଷିଣପୂର୍ବ ତଟବର୍ତ୍ତୀ ପୂର୍ବ ମଧ୍ୟରେଖିୟ ହିନ୍ଦମହାସାଗରରେ କେନ୍ଦ୍ରୀଭୁତ ହେବ।
ଏହାପରେ ଲଘୁଚାପ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ଗତି କଲା ବେଳେ ଲଘୁଚାପର ସ୍ପଷ୍ଟ ଚିହ୍ନଟ ହେବ। ଶନିବାର ୧୯ ମାର୍ଚ୍ଚ ବେଳକୁ ଏହା ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳ ଓ ତତ୍ସଂଗଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ।
ଏହାପରେ ଉତ୍ତରଦିଗରେ ଆଣ୍ଡାମାନ ଓ ନିକୋବାର ଦେଇ ଗତି କରିବ। ମାର୍ଚ୍ଚ ୨୦ ତାରିଖ ସକାଳ ବେଳକୁ ଏହାର ଗତି ପ୍ରଖର ହେବ ଓ ୨୧ ତାରିଖ ବେଳକୁ ଲଘୁଚାପ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି।
ଆଣ୍ଡାମାନ ଓ ନିକୋବାରରେ ମାଡ଼ ହେବା ପରେ ମାର୍ଚ୍ଚ ୨୨ ତାରିଖ ବେଳକୁ ଏହା ଉତ୍ତର-ଉତ୍ତରପୂର୍ବ ବାଂଲାଦେଶ ଦେଇ ମିଆଁମାରକୁ ଯିବ। ବାତ୍ୟା ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗର ଅଶାନ୍ତ ରହିଛି। ସମୁଦ୍ରରେ ବଡ଼ ଜୁଆର ଆସୁଥିବାର ଦେଖିବାକୁ ମିଳୁଛି। ତେବେ ମାର୍ଚ୍ଚ ୧୮ ତାରିଖ ବେଳକୁ ସମୁଦ୍ର ଆହୁରି ଅଶାନ୍ତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#2022 1st cyclone#bay of bengal#cyclone asani#dumani tv#INDIA#ODISHA#world