ଡୁମାଣୀ ଟିଭି,୧୮/୩ : ଋଷ-ୟୁକ୍ରେନ ଯୁଦ୍ଧ ବିଗତ ୨୩ ଦିନ ହେବ ଚାଲିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ପୁଟିନ ସେନା । ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସେନା ଯବାନଙ୍କ ସହିତ ସାଧାରଣ ନାଗରିକ ବି ଏହାର ଶିକାର ହେଉଛନ୍ତି । ୟୁକ୍ରେନରେ ବଡ ସଂଖ୍ୟାରେ ଲୋକଙ୍କ ଜୀବନ ଯାଉଛି । ଆଉ ଏଥିରୁ ବାଦ ପଡିନାହାନ୍ତି ୟୁକ୍ରେନର ଜଣେ ଅଭିନେତ୍ରୀ । ଋଷର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ୟୁକ୍ରେନର ଜଣେ ଅଭିନେତ୍ରୀ ଓକସାନା ସ୍ୱେତସ ।
ସୂଚନା ଅନୁସାରେ, କିବ୍ ଉପରେ ଋଷର ଜୋରଦାର ଆକ୍ରମଣ ଫଳରେ ସେଠାରେ ଜଣେ ଥିଏଟର୍ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଯାଇଛି । ଘର ଉପରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଫେସବୁକ୍ ଜରିଆରେ ଥିଏଟର୍ କମ୍ୟୁନିଟି ସୂଚନା ଦେଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ତେବେ ଋଷ ଆକ୍ରମଣରେ ଓକସାନାଙ୍କ ପୂର୍ବରୁ ୟୁକ୍ରେନରେ ଜଣେ ନାମୀଦାମୀ ଡାଇରେକ୍ଟର ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଋଷ ସେନା ଆକ୍ରମଣ କରୁଥିବା ବେଳେ ଯୁବ ସାମ୍ବାଦିକ ବେଣ୍ଟ୍ ଏହାର ଶିକାର ହୋଇଥିଲେ । ବେଣ୍ଟଙ୍କ ଗାଡି ଉପରକୁ ଜୋରଦାର ଗୁଳିମାଡ କାରଣରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।