କେରଳ କଂଗ୍ରେସରେ ବଡ ବିଦ୍ରୋହ, ହାଇକମାଣ୍ଡଙ୍କ ଆଦେଶ ଭାଙ୍ଗିବାକୁ ଥମାସଙ୍କ ଘୋଷଣା

ଡୁମାଣୀ ଟିଭି,୭/୪: ନିକଟରେ ସଂପନ୍ନ ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ପାର୍ଟି ପାଇଁ ଏହି ସମୟ ବହୁତ ଆହ୍ଵାନପୂର୍ଣ୍ଣ ଏବଂ ଏହାର ମୁକାବିଲା ପାଇଁ ଏକଜୁଟତା ଜରୁରୀ। ମାତ୍ର ଦଳରେ ଏକତା ପ୍ରତିଫଳିତ ହେଉ ନାହିଁ। ପାର୍ଟି ପଞ୍ଜାବ, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ପରି ରାଜ୍ୟଗୁଡିକରେ କଳହର ସାମ୍ନା କରୁଛି। କଂଗ୍ରେସ ଏବେ କେରଳରେ ମଧ୍ୟ ଗୋଷ୍ଠୀକନ୍ଦଳର ସାମ୍ନା କରିଛି। କେରଳର ବରିଷ୍ଠ ନେତା କେଭି ଥମାସ ସିପିଏମ ପକ୍ଷରୁ ଆୟୋଜିତ ସେମିନାରରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍ଟି ହାଇକମାଣ୍ଡ କାର୍ଯ୍ୟକ୍ରମରେ ସାମିଲ୍ ନହେବାକୁ ରୋକ୍ ଲଗାଇଥିଲେ। ତେବେ କଂଗ୍ରେସ ନେତୃତ୍ଵଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କେଭି ଥମାସ ଗୁରୁବାର କନ୍ନୁରରେ ଶାସକ ସିପିଏମ ପକ୍ଷରୁ ଆୟୋଜିତ ସେମିନାରରେ ସାମିଲ୍ ହେବାକୁ ଘୋଷଣା କରିଛନ୍ତି।
ତେବେ ଥମାସ ପାର୍ଟି ଛାଡୁନଥିବା ସ୍ପଷ୍ଟ କରିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ ସିପିଏମର ରାଜନୈତିକ କାର୍ଯ୍ୟକ୍ରମରେ ନୁହେଁ ବରଂ ଜାତୀୟ ସେମିନାରରେ ଭାଗ ନେବାକୁ ଯାଉଛି। ପ୍ରସଙ୍ଗ ମୋ ପାଇଁ ଜରୁରୀ ରାଜନୀତି ନୁହେଁ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଥରୁର ଏଥିରେ ଯୋଗ ଦେବାକୁ ଅନୁମତି ମାଗିବାରୁ କଂଗ୍ରେସ ପ୍ରମୁଖ ସୋନିଆ ଗାନ୍ଧୀ ତାଙ୍କୁ ଏମିତି କରିବାକୁ ମନା କରିଥିଲେ। ତେବେ ଥମାସଙ୍କ ଏହି ପଦକ୍ଷେପ କେରଳ କଂଗ୍ରେସରେ ବଡ ବିଦ୍ରୋହର ସଙ୍କେତ ଦେଉଛି।

ଥମାସ ଉକ୍ତ କାର୍ଯ୍ୟକ୍ରମରେ ଏମିତି ସମୟରେ ଯୋଗ ଦେଉଛନ୍ତି ଯେତେବେଳେ ଶାସକ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ତିକ୍ତତା ବଢିବାରେ ଲାଗିଛି। କେରଳ କଂଗ୍ରେସ କମିଟି ଅଧ୍ୟକ୍ଷ କେ ସୁଧାକରଣ କହିଥିଲେ, ଯଦି ଥମାସ ସିପିଏମର ସେମିନାରରେ ଭାଗ ନେବେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ନେତାଙ୍କ ଉପରେ ରୋକ୍ ଲଗାଯିବା ଉଚିତ୍, ଯଦ୍ଵାରା କଂଗ୍ରେସ ନେତା ସିପିଏମର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ।

# political partys#congress#DUMANITV#INDIA#ODISHA#rahul gandhi#sonia gandhi