କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ପ୍ରତିନିଧି ଦଳକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ :ସିପିଆଇ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରର ସୀମାନ୍ତବର୍ଲୀ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଉଦ୍ୟମ କରନ୍ତୁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ପ୍ରତିନିଧିଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଏବଂ ରାଜ୍ୟ ସରକାର ସୀମାନ୍ତବର୍ତୀ ଜିଲ୍ଲାମାନଙ୍କରେ ଦକ୍ଷ ଓଡ଼ିଆ ଅଫିସରମାନଙ୍କୁ ନିଯୁକ୍ତ କରିବା ସଙ୍ଗେ ସଙ୍ଗେ ସର୍ବଦଳୀୟ କମିଟି ଗଢ଼ି ପରିସ୍ଥିତିର ମୁକାବିଲା କରନ୍ତୁ ବୋଲି ସିପିଆଇ ଦାବି କରିଛି ।
ସିପିଆଇର ଏକ ପ୍ରତିନିଧି ଦଳ କୋଟିଆ ପରିଦର୍ଶନ କରି ରାଜ୍ୟ ପରିଷଦରେ ରିପୋର୍ଟ ଉପସ୍ଥାପିତ କରିଛନ୍ତି ।
ଗତକାଲି କ୍ଷୀରୋଦ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକଅନୁଷ୍ଠିତ ହୋଇଥିଲା ।
ସେହିପରି ମଣ୍ଡିମାନଙ୍କରେ ଚାଷୀଙ୍କ ଧାନ କିଣା ନ ହୋଇ ପଡ଼ିରହିଛି ଓ ଅନେକ ସ୍ଥାନରେ ଗଜା ହୋଇଗଲାଣି । ଅନେକସ୍ଥାନରେ ଟୋକନ ଥାଇ ମଧ୍ୟ ମଣ୍ଡିରେ ଧାନ ନେଉ ନାହାନ୍ତି ଏବଂ ଟୋକନର ମିଆଦ ପୁରିଗଲେ ଧାନ କିଣାଯାଉ ନାହିଁ । ଏସବୁ ଫଳରେ ଚାଷୀମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାରଙ୍କ ଏଫସିଆଇ ଓଡ଼ିଶାରୁ ସବୁ ଚାଉଳ ନେଉ ଏବଂ ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ଧାନ କିଣନ୍ତୁ ବୋଲି ଦାବି କରାଯାଇଛି ।
ପରିଷଦରେ ଗୃହୀତ ଅନ୍ୟଏକ ପ୍ରସ୍ତାବରେ ୩ଟି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରାଯିବା ସହିତ ଏପ୍ରିଲ ୨ରୁ ୯ ପର୍ଯ୍ୟନ୍ତ ପାର୍ଟିର ଗଣପାଣ୍ଠି ଅଭିଯାନ ଚଳାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଉକ୍ତ ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଓ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ ।