-୧୨ରୁ ଖୋଲିବ ଆନନ୍ଦ ବଜାର
-ମାସ୍କ ପିନ୍ଧିବା ବାଧ୍ୟତାମୂଳକ
-ପଲିଥିନ୍ ବ୍ୟବହାର କଲେ ଜରିମାନା
-ସପ୍ତାହକୁ ୩ଥର ମନ୍ଦିର ବିଶୋଧନ
-ସକାଳ ୬ଟାରୁ ଖୋଲିବ ଶ୍ରୀମନ୍ଦିର
ପୁରୀ: ଭକ୍ତଙ୍କ ପାଇଁ ବଡ ଖବର । ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର । ଶ୍ରୀଜୀଉଙ୍କ ଦର୍ଶନ ପାଇଁ କଟକଣାରେ କୋହଳ କରାଯାଇଛି । କରୋନା ପୂର୍ବରୁ ମହାବାହୁ ଯେମିତି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ ଏବେ ସେମିତି ଦର୍ଶନ ଦେବେ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବୁଧବାର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଏଣିକି ରବିବାର ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଅର୍ଥାତ ସପ୍ତାହର ସାତଦିନ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ସବୁଠୁ ବଡ କଥା ଫେବୃଆରୀ ୧୨ ତାରିଖରୁ ଆନନ୍ଦ ବଜାର ମଧ୍ୟ ଖୋଲିବା ସହ ଭକ୍ତ ପୂର୍ବଭଳି ମହାପ୍ରସାଦ ବା ଅବଢା ସେବନ କରିପାରିବେ । ସକାଳୁ ୬ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଆରମ୍ଭ ହେବ । କେବଳ ପୁରୀବାସୀ ନୁହେଁ ସମସ୍ତ ଭକ୍ତ ଚକାଆଖିକୁ ଦର୍ଶନ କରିପାରିବେ । ଆଜି ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଛେପ ପକାଇଲେ ୧ ହଜାର ତଣ୍ଡ ଗଣିବେ ଭକ୍ତ । ଏହା ଧରିବାକୁ ସ୍ପେଶାଲ ସ୍କ୍ୱାଡ୍ ରହିବ । ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ ରକିବାକୁ ପଦକ୍ଷେପ ନିଆଯିବ । ଏପରିକି ସପ୍ତାହକୁ ତିନିଦିନ ରାତ୍ରି ସମୟରେ ମନ୍ଦିର ପରିସର ସାନିଟାଇଜ୍ କରାଯିବ । ଏହା ପୂର୍ବରୁ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା ।