ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ଯାତାୟାତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ବ୍ରିଜ ଉପରେ ଡିଭାଇଡର୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ । ଏହି କାରଣରୁ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଗାଡି ଗୁଡିକୁ ରାସ୍ତାରେ ଛିଡା ହୋଇ ରହିଛି ।ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ ଟା ସମୟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଏକ ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ ଆସୁଥିଲା ।ଆସିବା ବେଳେ ହଠାତ ଭାରସାମ୍ୟ ହରାଇ ବଡ଼ ଘାଟି ବ୍ରିଜ୍ ଉପରେ ଡିଭାଇଡର୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଯାହା ଫଳରେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ଆସିକା ମୁଖ୍ୟ ରାସ୍ତାର ହରିଡ଼ାମୂଳ ଠାରେ ବ୍ରିଜ ଉପରେ ସିଲିଙ୍ଗ ପ୍ଲେଟ ଗୁଡ଼ିକ ଏଣେତେଣେ ପଡ଼ିଥିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଟ୍ରେଲର୍ ଡ୍ରାଇଭର ଓ ହେଲପର୍ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।