ପାକିସ୍ତାନର ଗୁରୁବାର ଗୋଟିଏ ପଟେ ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅପରପଟେ ସେ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ରେକର୍ଡିଂ ବାର୍ତ୍ତା ବଦଳେ ଦେଶାବାସୀଙ୍କ ସହ ସିଧା ସମ୍ବାଦ କରିବାକୁ ଚାହାଁନ୍ତି ବୋଲି କହିଥିବା ବେଳେ ପାକିସ୍ତାନ ଲାଗି ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କହିଛନ୍ତି। ଏଥିରେ ଦେଶବାସୀ କେଉଁ ରାସ୍ତାକୁ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଆସନ୍ତୁ ଜାଣିବା କଣ କହିଛନ୍ତି ଇମ୍ରାନ ମୋ ପାକିସ୍ତାନୀମାନେ, ଆଜି ମୋତେ ଆପଣଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି। ମୋର ଏହି ଭାଷଣ ରେକର୍ଡେଡ ନୁହେଁ ମୁଁ ଆପଣମାନଙ୍କ ସହ ସିଧାଶଳଖ କଥା ହେଉଛି। ଆମ ସାମ୍ନାରେ ଏବେ ଦୁଇଟି ରାସ୍ତା ଆସିଛି। ଏଥିରୁ ଆମକୁ ଗୋଟିଏ ବାଛିବାକୁ ହେବ ବୋଲି କହିଛନ୍ତି ଇମ୍ରାନ। ତେବେ ମୋ ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି ମୋ ଭଳିଆ ଲୋକ କାହିଁକି ରାଜନୀତିକୁ ଆସିଲା। ଯଦି ମୋତେ ନେତା ଭାବେ ଦେଖୁଥାନ୍ତି ତେବେ ରାଜନୀତିକୁ ଆସିବା ପୂର୍ବରୁ ମୋତେ କେହି ଚିହ୍ନି ନଥିଲେ।
କାୟଦେ-ଏ-ଆଜମ ଜିନ୍ନା ଜଣେ ବହୁତ ବଡ଼ ରାଜନେତା ଥିଲେ। ତେବେ ନେତା ହେବା ପୂର୍ବରୁ ଭାରତରେ ତାଙ୍କର ପରିଚୟ ଜଣେ ବଡ଼ ଓକିଲ ଭାବେ ଥିଲା। ତେବେ ମୋର ରାଜନୀତିକୁ ଆସିବା ଅପ୍ରତ୍ୟାସିତ ଥିଲା। ମୋ ପାଖରେ ଅର୍ଥ, ପ୍ରାଚୁର୍ଯ୍ୟ ଓ ସମ୍ମାନ ଥିଲା। ଆଜି ଦିନରେ ମଧ୍ୟ କୌଣସି ଜିନିଷର ଅଭାବ ନାହିଁ। ହିନ୍ଦୁସ୍ତାନରେ ଯଦି ସବୁଠୁ ଅଧିକ କେଉଁ ପାକିସ୍ତାନୀକୁ ଲୋକେ ଜାଣି ଥିଲେ ସେ ମୁଁ ହିଁ ଥିଲି। ଏଥିଯୋଗୁ ନୁହେଁ କି ସେ ଦେଶରେ ମୋର ସାଙ୍ଗସାଥୀ ଅଛନ୍ତି ସେମାନେ ମୋତେ କ୍ରିକେଟ ଯୋଗୁ ଅଧିକ ଚିହ୍ନିଥିଲେ।
ଯେତେବେଳେ ୨୫ ବର୍ଷ ପୂର୍ବେ ରାଜନୀତିକୁ ଆସିଲି ମୋର ୩ଟି ଲକ୍ଷ ଥିଲା ନ୍ୟାୟ, ମାନବତା ଓ ଆତ୍ମ ନିର୍ଭରତା ସୁନିଶ୍ଚିତ କରିବା। ମୁଁ ଯେତେବେଳେ ପାକିସ୍ତାନର ସାଧାରଣ ଜନତାର କଥା କହୁଛି ବିରୋଧୀ ସେତେବେଳେ ନିଜ ପରିବାର ଚିନ୍ତାରେ ଅଛନ୍ତି। ପାକିସ୍ତାନ ମୋ ଠୁ ମାତ୍ର ୫ ବର୍ଷ ବଡ଼ । ଦେଶର ପ୍ରଥମ ପିଢୀର ନାଗରିକ। ରାଜନୀତି ଆରମ୍ଭ କରିବା ବେଳେ ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି ବୋଲି ପଣ କରିଥିଲି। ମୋ ଦେଶକୁ କାହାର ଗୋଲାମୀ କରିବାକୁ ଦେବିନି।
ମାର୍ଚ୍ଚ ୮ ତାରିଖ ଦିନ ବିଦେଶରୁ ଏକ ବାର୍ତ୍ତା ଆସିଲା ଯେଉଁଥିରେ ପାକିସ୍ତାନ ଉପରେ କାହିଁକି କ୍ଷୁବ୍ଧ ତାର ବାହାନା ଦିଆଯାଇଥିଲା। ଯଦି ଇମ୍ରାନ ଖାନକୁ ହଟାଇ ଦିଆଯିବ ତେବେ ଆମେ ପାକିସ୍ତାନକୁ କ୍ଷମା କରିଦେବୁ। ଯଦି ଏପରି ନ ହୁଏ ତେବେ ପାକିସ୍ତାନକୁ କଠିନ ସମୟ ଦେଖିବାକୁ ପଡିବ। ମୋର ଋଷିଆ ଗସ୍ତରେ ଆମେରିକା କ୍ଷୁବ୍ଧ। ମୋତେ ହଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ମୁଁ ମଧ୍ୟ କହି ରଖୁଛି କେବେ ହେଲେ ଇସ୍ତଫା ଦେବି ନାହିଁ। ବଳ ଶେଷ ହେବା ପର୍ଯ୍ୟନ୍ତ ମୁଁ ପରିସ୍ଥିତି ଓ ବିରୋଧୀଙ୍କ ମୁକାବିଲା କରିବି ବୋଲି କହିଛନ୍ତି ଇମ୍ରାନ।