ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ: ରାଜନାଥ ସିଂହ

ଶ୍ରୀନଗର, : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍‌ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ । ସେନାର ୧୫ କର୍ପସ ବାଦାମୀ ବାଗ କ୍ୟାଣ୍ଟନମେଣ୍ଟରେ ସୈନିକମାନଙ୍କୁ ସମ୍ବୋଧିତ କରି ସେ ‘ଅପରେସନ ସିନ୍ଦୂର’ କାର୍ଯ୍ୟକାରୀ କରିବା ସମୟରେ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ସୂକ୍ଷ୍ମ କାର୍ଯ୍ୟ ପାଇଁ ପ୍ରଶଂସା ରିଥିଲେ । ସେ କହିଥିଲେ ଯେ ଦେଶ ମାତୃଭୂମିକୁ ସୁରକ୍ଷା ଦେବାରେ ସଶସ୍ତ୍ର ବାହିନୀର ସାହସ, ପ୍ରତିବଦ୍ଧତା ଏବଂ ଦୃଢ଼ ନିଷ୍ଠା ପାଇଁ ଗର୍ବିତ । ସେ କହିଛନ୍ତି, ସମଗ୍ର ବିଶ୍ୱ ଦେଖିଛି ଯେ ପାକିସ୍ତାନ ଭାରତକୁ କେତେ ଦାୟିତ୍ୱହୀନ ଭାବରେ ଧମକ ଦେଇଛି । ପାକିସ୍ତାନ ହାତରେ ଥିବା ପରମାଣୁ ଅସ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରଗୁଡ଼ିକୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ତତ୍ତ୍ୱାବଧାନରେ ନିଆଯିବା ଉଚିତ । ୨୨ ଏପ୍ରିଲ ପହଲଗାମ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ ଏହା ତାଙ୍କର ପ୍ରଥମ ଜମ୍ମୁ ଓ କାଶ୍ମୀର ଗସ୍ତ । ରାଜନାଥ ସିଂହ କହିଛନ୍ତି ଯେ ସେ ‘ଅପରେସନ ସିନ୍ଦୁର’ର ସଫଳ ପରିଚାଳନାରେ ସୈନିକଙ୍କ ସାହସ ଏବଂ ସମର୍ପଣ ପାଇଁ ଦେଶବାସୀଙ୍କ ପ୍ରଶଂସା, ସମ୍ବର୍ଦ୍ଧନା ଏବଂ ଅଭିବାଦନ ଜଣାଇବା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ ଆତଙ୍କବାଦ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ଏବଂ ବାର୍ତ୍ତା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଲୋଚନା ଏବଂ ଆତଙ୍କବାଦ ଏକାଠି ଚାଲିପାରିବ ନାହିଁ ଏବଂ ପାକିସ୍ତାନ ସହିତ ଭବିଷ୍ୟତରେ ଯେକୌଣସି ଆଲୋଚନା କେବଳ ପାକ୍‌-ଅଧିକୃତ ଜାମ୍ମୁ-କାଶ୍ମୀର ଏବଂ ଆତଙ୍କବାଦକୁ ନେଇ ହେବ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଅନ୍ୟାନ୍ୟ ବରିଷ୍ଠ ସାମରିକ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।