ଡୁମାଣୀ ଟିଭି,୭/୪ :ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନିଜେ ବିଛାଇଥିବା ଜାଲରେ ନିଜେ ଫଶି ଯାଇଛନ୍ତି। ରାଜନୀତିକୁ ସେ କ୍ରିକେଟ ଫିଲ୍ଡର ଏକ୍ସେଟେନସନ ଭାବି ବସିବା ତାଙ୍କର ମସ୍ତବଡ଼ ଭୁଲ ହୋଇଛି। ପାକ୍ ସେନାକୁ ‘ପଶୁ’ ଓ ଆମେରିକାକକୁ ‘ଷଡ଼ଯନ୍ତ୍ରକାରୀ’ କହି ସେ ଯେଉଁ ରାଜନୈତିକ ଫାଇଦା ନେବାକୁ ଚାହୁଁଥିଲେ ଏବେ ତାହା ତାଙ୍କୁ ଆଉ ମିଳିପାରିବ ନାହିଁ। ସେ ପାକ୍ ରାଜନୀତିରେ ଆଉ ଜଣେ ଭୁଟ୍ଟୋ ହେବାକୁ ଚାହୁଁଥିଲେ, ହେଲେ ଭାଗ୍ୟ ତାଙ୍କର ସାଥ ଦେଲାନି।
କୁହାଯାଏ ଇତିହାସର ପୁନରାବୃତ୍ତି ହୁଏ। ତେବେ ଇମ୍ରାନ ଏଥିପାଇଁ ମନେ ରହିବେ ପ୍ରଥମେ ଟ୍ରାଜେଡି ଓ ପରେ ଜଣେ ବ୍ୟଙ୍ଗ ରାଜନେତା। ଅସମୟରେ ସଂସଦ ଭଙ୍ଗ କରି ଇମ୍ରାନ ମାତ୍ର ଗୋଟିଏ ଭୁଲ କରି ନାହାନ୍ତି ଏପରି ଅନେକ ଭୁଲ କରିଛନ୍ତି ଯେଉଁଥିପାଇଁ ତାଙ୍କ ଦଳର ସାଂସଦ ମଧ୍ୟ ତାଙ୍କୁ ଏବେ ଭରସା କରିପାରୁ ନାହାନ୍ତି। ଅନ୍ତର୍ଜାତୀୟ ସମୂଦାୟରେ ଦେଶର ଅସମ୍ମାନ ହେବାରୁ ଶେଷରେ ପାକ୍ ସେନା ମଧ୍ୟ ତାଙ୍କଠୁ ନିଜକୁ ଦୂରେଇ ନେଲା।
ତେବେ ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ଼ ଏବେବି ଥମିନି। ରାଜନୀତିର ମହାସଂଗ୍ରାମରେ ଇମ୍ରାନ ଓ ବିରୋଧୀ ଦଳ ଏବେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଅଗ୍ରାହ୍ୟ କରିବା ଓ ସଂସଦ ଭଙ୍ଗକୁ ନେଇ ବିରୋଧୀ ଦଳ ସୁପ୍ରିମକୋର୍ଟରେ ହାଜର ହୋଇଥିବା ବେଳେ ବୁଧବାର ମାମଲାର ଶୁଣାଣି ଆରମ୍ଭ ହୋଇଛି। ଗତ ମାର୍ଚ୍ଚ ୨୭ ତାରିଖ ଦିନ ପାକିସ୍ତାନ ଜାତୀୟ ସୁରକ୍ଷା କମିଟି ବୈଠକରେ ଇମ୍ରାନ ଆଣିଥିବା ଅଭିଯୋଗକୁ ଉପଯୁକ୍ତ ମନେ କରାଯାଇ ନାହିଁ। ଯେଉଁଥିରେ ଆମେରିକା ସରକାର ତାଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର କରୁଥିବାର ସେ ଅଭିଯୋଗ କରିଥିଲେ।
ତେବେ ଏହାର ଅର୍ଥ ନୁହେଁ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ସଠିକ ପରାମର୍ଶ ମିଳିନଥିଲା। ତାଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ଲୋକେ ତାଙ୍କୁ ଇସ୍ତଫା ଦେଇଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଦରବାରୀମାନେ ତାଙ୍କୁ ଉସକେଇ ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବା ଓ କୂଟନୀତିର ସମସ୍ତ ସୀମା ଅତିକ୍ରମ କରିସାରିଥିବା ଇମ୍ରାନ ଏବେ ରାଜନୈତିକ ସଂକଟରୁ ବାହାରିବା ଆଉ ସହଜ ନୁହେଁ। ଯଦି ସଂକଟରୁ ବାହାରିବି ଯାଆନ୍ତି ତେବେ ପରବର୍ତ୍ତି ରାଜନୈତିକ ଜୀବନ ଏତେ ସହଜ ହେବନି।
ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ଇମ୍ରାନ ନିଜେ ଅନଭିଜ୍ଞ। ଟିମରେ ଏପରି ସବୁ ଲୋକଙ୍କୁ ରଖିଥିଲେ ଯେଉଁମାନଙ୍କର ଅର୍ଥନୀତି ବାବଦେ କୌଣସି ବିଶେଷଜ୍ଞତା ନଥିଲା। ମନ୍ତ୍ରୀମଣ୍ଡଳର ଅଧିକାଂଶ ଲୋକେ ବ୍ୟବସାୟୀ ଥିଲେ। ଏଣୁ ବିଦେଶ ନୀତିର ବିଫଳତାକୁ ଆକଳନ କରାଯାଇପାରେ। ଦେଶଦୁନିଆରେ ଇସ୍ଲାମିକ ଦେଶଙ୍କ ସଂଗଠନରେ ସାମିଲ ହେବା ଚକ୍କରରେ ନିଜର ମିତ୍ର ଦେଶମାନଙ୍କୁ ମଧ୍ୟ ପାକିସ୍ତାନ ହରାଇଲା। ସେନାରେ ବି ସରକାର ରାଜନୀତି କରିବାକୁ ଲାଗିଲେ। ଏଣୁ ଗତ ଅକ୍ଟୋବରରୁ ସେନା ସରକାରରୁ ଦୂରେଇବା ଆରମ୍ଭ କଲା। ଫଳରେ ବିରୋଧୀଙ୍କୁ ମୌକା ମିଳିବାମାତ୍ରେ ସିଧା ଇମ୍ରାନଙ୍କୁ ଟାର୍ଗେଟ କରିଦେଲେ।