ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର ମିସାଇଲ ମାଡ଼ ଯୋଗୁ ଲୋକମାନେ ରାଜଧାନୀ କିଭ୍ରେ ଥିବା ମେଟ୍ରୋ ଷ୍ଟେସନ ଭିତରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ।
ରୁଷ ହମଲା କରିବାକୁ ଯାଉଥିବାରୁ ୟୁକ୍ରେନ ପ୍ରଶାସନ ଏୟାର ରେଡ୍ ସାଇରନ ଦ୍ୱାରା ଲୋକଙ୍କୁ ସତର୍କ କରାଇଥିଲା। ଏହାପରେ ଲୋକମାନେ ପ୍ରାଣ ବିକଳରେ ମେଟ୍ରୋ ଷ୍ଟେସନ ଭିତରେ ଲୁଚି ଯାଇଥିଲେ। ମିସାଇଲ ମାଡ଼ରେ ୟୁକ୍ରେନର ବିଜୁଳି ଭିତ୍ତିଭୂମି ପୁଣି ନଷ୍ଟ ହୋଇଯାଇଛି। ଅକ୍ଟୋବର ମାସରେ ରୁଷ ସମାନ ଢଙ୍ଗରେ ୟୁକ୍ରେନର ଜାତୀୟ ବିଜୁଳି ଗ୍ରୀଡ୍କୁ ଧ୍ୱଂସ କରି ଦେଇଥିଲା। ଫଳରେ କିଭ୍ ସମେତ ଏକାଧିକ ସହରରେ ବିଜୁଳି ସଙ୍କଟ ଦେଖାଯାଇଥିଲା।
ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି କହିଛନ୍ତି, “ଆମକୁ ଭୟଭୀତ କରିବା ପାଇଁ ଗୋଟିଏ ଆତଙ୍କବାଦୀ ଦେଶ ଆମ ଉପରେ ମିସାଇଲ ମାଡ଼ କରି ନିକଟରେ ପରାସ୍ତ ହୋଇଛି। ଆଗକୁ ଠିକ ଏପରି ଢଙ୍ଗରେ ପୂରା ରୁଷ ପରାସ୍ତ ହେବ।” ୟୁକ୍ରେନର ଟପ୍ ମିଲିଟାରୀ କମାଣ୍ଡର ଜେନେରାଲ ଭାଲେରିୟା ଝାଲୁଝନୟି, ଏୟାର ଡିଫେନ୍ସ ୫୫ଟି ମିସାଇଲରୁ ୪୭ଟି ଧ୍ୱଂସ କରି ଦେଇଛି।