ଡୁମାଣୀ ଟିଭି ,୨୩/୩ : ପୌର ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ପ୍ରଚାର ଶେଷ ଦିନରେ ସବୁ ପ୍ରାର୍ଥୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଜୋରଦାର କସରତ କରିଛନ୍ତି । ଭୋଟରଙ୍କୁ ମନେଇବାକୁ ନେତା ମନ୍ତ୍ରୀଙ୍କ ସହ ଅଭିନେତା ଓ ଅଭିନେତ୍ରୀଙ୍କୁ ବିଜେଡି ପ୍ରଚାର ମଇଦାନକୁ ଉତାରିଥିବା ବେଳେ ବିଜେପି ନେତା ମାନେ ପ୍ରାର୍ଥୀଙ୍କ ପାଇଁ ରୋଡ୍ ସୋ କରିଛିନ୍ତି । କଂଗ୍ରେସର ଛାମୁଆ ନେତାମାନେ ବି ପ୍ରାର୍ଥୀଙ୍କୁ ଧରି ଭୋଟ ଭିକ୍ଷା କରିଛନ୍ତି। ଆସନ୍ତାକାଲି ପୌର ଭୋଟ୍ । ଏହାର ୪୮ଘଣ୍ଟା ଆଗରୁ ପ୍ରଚାର ସରିଛି। ଆଜି ପ୍ରଚାରର ଶେଷ ଦିନରେ ଝାଳ ବୁହାଇଛନ୍ତି ପ୍ରାର୍ଥୀ ଓ ନେତା । ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୂଖ ରାଜନୈତିକ ଦଳର ପ୍ରାର୍ଥୀ ରାଜ୍ୟର ୫୯ ଟି ଏନଏସି, ୪୭ଟି ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମରେ ଘମାଘୋଟ ପ୍ରଚାର କରିଛନ୍ତି । କେଉଁଠି ଅଭିନେତା ଓ ଅଭିନେତ୍ରୀ ପ୍ରଚାର କରିଛନ୍ତି ତ ଆଉ କେଉଁଠି ତିନି ଦଳର ବରିଷ୍ଠ ନେତା ପ୍ରଚାର ମଙ୍ଗ ଧରିଛନ୍ତି ।
ଭୁବନେଶ୍ବର ପାଇଁ ତିନି ଦଳର ମେୟର ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାକୁ ଜୋରଦାର ପ୍ରୟାସ କରିଛନ୍ତି। କନ୍ଧମାଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ପ୍ରଚାର କରିଥିବା ବେଳେ ଧାମନଗରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିଛନ୍ତି । ଉମରକୋଟରେ ରିୟା ଦେ ଏବଂ ବାଲିମେଳାରେ ତମନ୍ନା ବିଜେଡି ପାଇଁ ପ୍ରଚାର କରିଥିଲେ । କଂଗ୍ରେସ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ତାରାପ୍ରସାଦ ବାହିନୀପତି। ବିଜେପି ପ୍ରାର୍ଥୀ ମାନେ ମଧ୍ୟ ଶେଷ ଦିନରେ ଘମାଘୋଟ ପ୍ରଚାର କରିଛନ୍ତି। ପ୍ରଚାର ସରୁ ସରୁ ସିଟ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ପୌରାଞ୍ଚଳରେ କିଏ କେତେ ସିଟ୍ ଅକ୍ତିଆର କରିବ ସେନେଇ ଆରମ୍ଭ ହୋଇଛି ବୟାନବାଜି। ବିଜେଡି କହିଛି ପଞ୍ଚାୟତ ନିର୍ବାଚନ ଭଳି ପୌରାଞ୍ଚଳରେ ବି ଏକପାଖିଆ ଜିତିବ । ସମାଜର ସବୁ ବର୍ଗର ଲୋକଙ୍କ ସମର୍ଥନ ରହିଛି। ମହିଳାଙ୍କ ଭୋଟ ବିଜେଡି ସପକ୍ଷରେ ଯିବ। ବିକାଶ ପ୍ରସଙ୍ଗକୁ ନିର୍ବାଚନ ହେଉଥିବାରୁ ବିଜେଡି ପ୍ରାର୍ଥୀ ଜିତିବେ ବୋଲି ଦଳ ଦାବି କରିଛି। ଏପଟେ ବିଜେପି କହିଛି ସହରର ୫୦ ପ୍ରତିଶତ ଭୋଟର ସଚେତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ଅଧିକ ରହିଛି। ସେଥିପାଇଁ ସରକାର ସହରାଞ୍ଚଳ ନିର୍ବାଚନକୁ ଗଡେଇ ଚାଲିଥିଲେ । ୫୦ ପ୍ରତିଶତରୁ ଅଧିକ ସିଟ୍ ହାତେଇବ ବୋଲି ବିଜେପି ଦାବି କରିଛି। ଏପଟେ କଂଗ୍ରେସ ଆକଳନକୁ ବିଶ୍ବାସ କରିନି କିନ୍ତୁ ଗତ ଥର ଅପେକ୍ଷା ବହୁତ ଭଲ ହେବ ବୋଲି ଦାବି କରିଛି ।
ଆସନ୍ତା କାଲି୨୪ ତାରିଖରେ ଭୋଟ ଗ୍ରହଣ । ୨୬ ତାରିଖରେ ଭୋଟ ଗଣତି । ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।