ବିଷ ବଳୟରେ ବିଶ୍ୱ
ପ୍ରଦୂଷଣର ଧୂଳି ଧୂଆଁରେ ଅନେକ ସହର
ପ୍ରଦୂଷଣର ବିଷାକ୍ତ ବଳୟ ଭିତରେ ଦେଶର ୧୩୨ ସହର । କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ଼ ସହରରେ ନିଃଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଲାଣି । ବିଶୁଦ୍ଧ ବାୟୁ ଟିକେ ପାଇଁ ଲୋକେ ଛଟପଟ । ଯାନବାହନ ବୃଦ୍ଧି ସାଙ୍ଗକୁ ଅନବରତ ନିର୍ମାଣ କାର୍ୟ୍ୟଜନିତ ଧୂଳି ଯୋଗୁଁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ । ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏଭଳି ଅନେକ ସହର ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି । ସେଣ୍ଟର ଫର ଏନ୍ଭାର୍ନମେଣ୍ଟ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ସହରାଞ୍ଚଳର ପରିବେଶ ଦିନକୁ ଦିନ ବିଗୁଡ଼ୁଥିବାରୁ ଏହାକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଉଦ୍ବେଗ ପ୍ରକାଶ କରିଛି । ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସହର ଏହି ବଳୟ ଭିତରକୁ ଚାଲିଯାଉଛନ୍ତି । ସାଧାରଣତଃ ବାୟୁରେ ୧୦ ମାଇକ୍ରୋନ୍ରୁ କମ୍ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା । ମାତ୍ର ଅଧିକାଂଶ ସହରାଞ୍ଚଳରେ ଏହାଠାରୁ ଅଧିକ ରହିଥିବା ଦେଖିବାକୁ ମିଳିୁଛି । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ହାର ସ୍ୱାଭାବିକ୍ଠାରୁ ପ୍ରାୟ ୩୬ ପ୍ରତିଶତ ଅଧିକ ଥିବାବେଳେ ଅନୁଗୁଳରେ ୨୮, କଟକ ୨୭, ରାଉରକେଲା ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହୁଛି । ଏହି ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଏନ୍ଜିଟି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିଡି) ରାଜ୍ୟ ପ୍ରଦୂଷଣ ବୋର୍ଡ(ଏନ୍ପିସିବି)କୁ ପ୍ରଦୂଷଣ ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିଲା । କିଭଳି ଏହି ସହରାଞ୍ଚଳରେ ପ୍ରଦୂଷଣର ମାତ୍ରା କମାଯାଇପାରିବ ସେଥିନେଇ ରାଜ୍ୟ ସରକାର ‘ସ୍ୱଚ୍ଛ ବାୟୁ ଆକ୍ସନ୍ ପ୍ଳାନ୍’ ପ୍ରସ୍ତୁତ କରିଛନ୍ତି । ଏଥିରେ ରାଜ୍ୟ ପରିବହନ ବିଭାଗ, ଶିଳ୍ପ, କୃଷି, ଖଣି, ଇସ୍ପାତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଭଳି ବିଭାଗ ସାମିଲ ଅଛନ୍ତି । ଏହି ଆକ୍ସନ୍ ପ୍ଲାନ୍କୁ କାର୍ୟ୍ୟକାରୀ କରିବା ପାଇଁ ଏନ୍ପିସିବି ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ତୁଲାଇବ ।