ଡୁମାଣୀ ଟିଭି ,୨୮/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସୋମବାର ଆସିବ ଅନାସ୍ଥା ପ୍ରସ୍ତାବ। ଅନସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ଭୋଟିଂ ସମ୍ଭାବନା ରହିଛି। ବଡ଼ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଇସ୍ତଫା ଦେବେନି ବୋଲି କହିଛନ୍ତି ଇମ୍ରାନ ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କେବଳ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ନୁହଁନ୍ତି । ବରଂ ଏବେ ନେତାଙ୍କ ବିଦ୍ରୋହର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଖବର ଅନୁଯାୟୀ ଖାନଙ୍କ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ଭୋଟ୍ ଦେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ରାଉଣ୍ଡ ଜାରି ରହିପାରେ ବୋଲି କୁହାଯାଉଛି ।
ଆସ୍ଥା ଭୋଟ ପୂର୍ବରୁ ଇସଲାମାବାଦରେ ଏକ ରାଲିକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି ଯେ, ମୁଁ ନିଜର ପାଞ୍ଚ ବର୍ଷ ପୂରଣ କରିବି। ଇସ୍ତଫା ଦେବି ନାହିଁ। ମୁଁ ଲୋକଙ୍କ ବିକାଶ ପାଇଁ ରାଜନୀତିକୁ ଆସିଛି। ପାକ୍ ଇତିହାସରେ କୌଣସି ସରକାର ମୋ ସରକାର ଭଳି କାମ କରିନାହାଁନ୍ତି ।
ପାକିସ୍ତାନରେ ରାଜନୈତିକ ଅସ୍ତିରତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ କଳାବଦଲ ଛାଇ ଯାଇଛି। ଇମରାନ ଖାନଙ୍କ ବିରୋଧରେ ଯଦିଓ ଅନାସ୍ଥା ପ୍ରସ୍ତାବ ସ୍ଥଗିତ ହୋଇଯାଇଛି, ତଥାପି ମୁସ୍କିଲ କମ ହୋଇନି।
ଇମରାନ ସରକାର ବିରୋଧରେ ଗତ ୨୫ ତାରିଖରେ ଅନାସ୍ଥା ଆସିବାର ଥିଲା। ହେଲେ ଏହି ଅନାସ୍ଥା ପ୍ରସ୍ତାବ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ସୋମବାର ଆସିବ। ଅନ୍ୟପକ୍ଷରେ ଅନସ୍ଥା ପ୍ରସ୍ତାବ ପୂର୍ବରୁ ଇମରାନ ଖାନ୍ ତାଙ୍କର ନାଟକ ଆରମ୍ଭ କରିଦେଇଛନ୍ତି। ରାଜଧାନୀ ଇସଲାମବାଦରେ ଏକ ରାଲି ଆୟୋଜନ କରିଛନ୍ତି। ଏହି ରାଲିରେ ୧୦ ଲକ୍ଷ ଲୋକ ସମାଗମ ହେବ ବୋଲି କହିଥିଲେ ଇମରାନ। ହେଲେ ଲକ୍ଷେ ଲୋକ ବି ତାଙ୍କ ରାଲିକୁ ଆସିନଥିଲେ । ରାଲିର କଭରେଜ୍ ବନ୍ଦ କରିବାକୁ ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ଦ୍ୱାରା ଅନେକ ପ୍ରମୁଖ ନ୍ୟୁଜ୍ ନେଟୱାର୍କକୁ କୁହାଯାଇଥିଲା ।