ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ, ବିପଦରେ ଗୋବଂଶ : ସ୍ଥିତି ଉପରେ ନଜର ରଖିଛନ୍ତି ଚିକିତ୍ସକ ଦଳ

ବଲାଙ୍ଗିର, ୨୧ ଜାନୁଆରୀ – ବଲାଙ୍ଗିର ଜିଲ୍ଲାରେ ଏବେ ଭୁତାଣୁଜନିତ ସଂକ୍ରମିତ ଚର୍ମ ରୋଗ ଲାମ୍ପି ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଈ ଗୋରୁ ମାନେ ମୃତ୍ୟୁ ମୁଖରେ ପଡିଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ ବ୍ୟାପିଛି । ଏହି ରୋଗରେ ପୀଡିତ ହୋଇ ବଲାଙ୍ଗିର ସହର ଉପକଣ୍ଠ ବିଯାଖମନ ଗ୍ରାମରେ ଗତ ଏକ ସପ୍ତାହ ମଧ୍ୟରେ ୧୧ ଟି ଗାଈ ପ୍ରାଣ ହରାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ସମୟ ପୂର୍ବରୁ ଟୀକାକରଣ ନହେବା ଓ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ନେଇ ପଶୁପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଲାମ୍ପି ରୋଗ ଜୀବାଣୁ ନିହିତ ରୋଗ ଅଟେ । ମଶା, ମାଛି ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେଲେ ଗାଈ ମାନଙ୍କ ଶରୀରରେ ଚକଡ଼ା ହୁଏ । ତାଙ୍କର ପାକୁଳି କରିବା ବନ୍ଦ ହେବା ସହ ଆଖିରୁ ପାଣି ଝରେ । ଲାମ୍ପି ରୋଗରେ ପୀଡିତ ଗାଈର ଖାଦ୍ୟ ଗ୍ରହଣ କ୍ଷମତା କମି ଯାଏ । ଫଳରେ ଅତ୍ୟଧିକ ଜ୍ଵର, ଦୁର୍ବଳତା, ଦୁଗ୍ଧ ଉତ୍ପାଦନ ହ୍ରାସ ଓ ଗର୍ଭପାତ ଭଳି ସମସ୍ୟା ଉତ୍ପନ୍ନ ହୁଏ । ଠିକ୍ ସମୟରେ ଏହାର ଚିକିତ୍ସା କରା ନ ଗଲେ ଗାଈ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏଭଳି ଅବହେଳା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏବେ ସେହି ସମସ୍ୟା ସୃଷ୍ଟି ହୋଇଛି । ଭ୍ରାମ୍ୟମାଣ ପ୍ରାଣୀ ସମ୍ପଦ ବିକାଶ ଗାଡ଼ି ଜିଲ୍ଲାରେ କୁଆଡେ ବୁଲୁଛି ତାର ଠିକଣା ନାହିଁ । ଲାମ୍ପିଂ ରୋଗ ଏକ ସଂକ୍ରମଣ ରୋଗ ହୋଇଥିବାରୁ ଏହାକୁ ନେଇ ଯେଉଁଭଳି ସଚେତନତା ସୃଷ୍ଟି କରାଯିବ କଥା ତାହା କରାଯାଉନାହିଁ । ଯାହା ଫଳରେ ଗୋପାଳନ ଚାଷୀ ମାନେ ଏବେ ଦୁଗ୍ଧ ବ୍ୟବସାୟରେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି । ତେବେ ଯଥା ଶୀଘ୍ର ଏହି ରୋଗର ନିରାକରଣ ପାଇଁ ଏକ ଚିକିତ୍ସକ ଟିମ୍ ଗଠନ କରି ଗାଁ ମାନଙ୍କରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଉ ଓ ଲାମ୍ପି ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଯାଉ ବୋଲି ପଶୁ ପ୍ରେମୀ ମହଲରେ ଦାବି ଉଠିଛି ।

ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ଭୁତାଣୁଜନିତ ଏହି ରୋଗର ଉପଶମ ପାଇଁ ଗତ ୪ ଦିନ ହେବ ଟୀକାକରଣ କରାଯାଉଛି । ଆମ ପାଖରେ ୧ ଲକ୍ଷ ୭୨ ହଜାର ଭାକସିନ୍ ଥିଲାବେଳେ ଆହୁରି ୭୦ ହଜାର ଆସୁଛି । ଆମର ୧୪ ଗୋଟି ବ୍ଲକ ଅଂଚଳରେ ୧୪ଟି ଭ୍ରାମ୍ୟମାଣ ଦଳ କାମ କରୁଛନ୍ତି । ବିଜାଖମନରେ ୧୦୦ ଗୋ ଧନ ଅଛନ୍ତି, ସେଠାକୁ ଚିକିତ୍ସକ ଦଳ ଯାଇଛନ୍ତି । ସେମାନେ ଗାଈ ମାନଙ୍କୁ ଟୀକାକରଣ କରୁଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି ।