ଡୁମାଣୀ ଟିଭି ,୨୭/୩ : ଯାହା ଆଶା କରାଯାଉଥିଲା ତାହା ହିଁ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ନିର୍ବାଚନରେ ବଜାୟ ରଖିଛି ଶାସକ ବିଜୁ ଜନତା ଦଳ। ବହୁ ପଛରେ ରହି ଯାଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ। ରାଜ୍ୟର ୩ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ବାଜିମାତ୍ କରିଛନ୍ତି। ଭୁବନେଶ୍ଵରରେ ବିଜେଡିର ମେୟର ପ୍ରାର୍ଥୀ ପ୍ରାର୍ଥୀ ସୁଲୋଚନା ଦାସ ବିଜୟ ଲାଭ କରିଛନ୍ତି।
ପ୍ରଥମ ମହିଳା ବିଏମସି ମେୟର ହେଲେ ସୁଲୋଚନା ଦାସ। ଏଠାରେ ବିଜେପି ପ୍ରାର୍ଥୀ ସୁନିତି ମୁଣ୍ଡ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ ସୁଲୋଚନା ୬୧ ହଜାର ୮୭ ଭୋଟ୍ରେ ବିଜୟ ହାସଲ କରିଛନ୍ତି। ବିଜେଡିର ସୁଲୋଚନାଙ୍କୁ ୧ ଲକ୍ଷ ୭୪ ହଜାର ୪୮୭ ଭୋଟ୍ ମିଳିଛି। ବିଜେପିର ମେୟର ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧ ହଜାର ୬ ଖଣ୍ଡ ଭୋଟ୍ ମିଳିଛି।
ସେହି ପରି କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ବିଜୟ ହୋଇ ମେୟର ହୋଇଛନ୍ତି। ସେ ନିକଟତମ କଂଗ୍ରେସ ପ୍ରତିଦ୍ଵନ୍ଦ୍ଵି ଗିରିବାଳା ବେହେରାଙ୍କୁ ହରାଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ। ଅନ୍ୟପଟେ ବ୍ରହ୍ମପୁର ମହା ନଗର ନିଗମ ମେୟର ନିର୍ବାଚନରେ ବିଜେଡି ବିଜୟ ହାସଲ କରିଛି। ଦଳର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦,୨୩୬ ଖଣ୍ଡ ଭୋଟ୍ ବିଜୟ ହାସଲ କରିଛନ୍ତି।