ଭୁବନେଶ୍ୱର, : ଓଡ଼ିଆ ଭାଷା ସାହିତ୍ୟର ରୀତିଯୁଗୀୟ କବି ଓ ଓଡ଼ିଶୀ ସଙ୍ଗୀତକାର ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୫ତମ ଜୟନ୍ତୀ ଉତ୍କଳୀୟ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଏବଂ ଚତୁର୍ଦ୍ଧା ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିମନ୍ୟୁଙ୍କର ଛାନ୍ଦ, ଅପ୍ରାକୃତ ପ୍ରେମକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି । ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି କହିଲେ ଅତ୍ୟୁକ୍ତି ହେବନାହିଁ । ମାରୋହରେ ମୁଖ୍ୟଅତିଥି ଭାବରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଆଇଏଏସ, ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ ମିଶ୍ର, ମହାନଦୀ କୋଲ ଫିଲଡ ଓ ଏନଟିପିସିର ପୂର୍ବତନ ବିତ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ‘ଡୁମାଣି ଖବର’ର ସମ୍ପାଦକ ଡ.ଅକ୍ଷୟ କୁମାର ପଟ୍ଟନାୟକ ଓ ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ପବିତ୍ର ମହରଥା ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ ପ୍ରଦୀପ ବିଶ୍ୱାଳ, ସାହିତ୍ୟ ସଂସ୍କୃତି ପାଇଁ କୁଳମଣୀ ବିଶ୍ୱାଳ, ସୁଶ୍ରୀ ସଙ୍ଗୀତା ପଣ୍ଡା, ଓଡ଼ିଶୀ ଏବଂ ନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ଓଡ଼ିଶୀ ନୃତ୍ୟ ପାଇଁ ଇଂ.ବିଭୁଦତ୍ତ ଦାସ, ଓଡ଼ିଶୀ ନୃତ୍ୟଶିଳ୍ପୀ, ମହମ୍ମଦ ଜାଫର ଇକବାଲ, କ୍ରୀଡ଼ାବିତ, ଶିଳ୍ପୀ ଅଶୋକ ସାହୁ ପ୍ରଭୃତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧିବକ୍ତା ତଥା କଣ୍ଠଶିଳ୍ପୀ ଶ୍ରେୟା ସଙ୍ଗିତାଙ୍କ ସଂଯୋଜନାରେ ସଙ୍ଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର ଜେନା, ବିଦୁଷୀ ସଂଗୀତା ପଣ୍ଡା ଓ ଓଡିଶୀ ସଙ୍ଗୀତ ବିଶାରଦ ରୂପକ ପରିଡ଼ାଙ୍କ ସୁଲଳିତ କଣ୍ଠର ସ୍ୱର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିରଚିତ ଛାନ୍ଦରେ ଉପସ୍ଥିତ ସମସ୍ତ ସ୍ରୋତା ମନ୍ତ୍ରମୁଗ୍ଧ କରିଥିଲା ଏବଂ ଶେଷରେ ସଙ୍ଗଠନର ସଭାପତି ମନୋଜ ନାୟକ ସମସ୍ତଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରି ଧନ୍ୟବାଦ ଅର୍ପଣ କରିଥିଲେ ।