ରାଉରକେଲା, ୧୭ ନଭେମ୍ବର – ବିଶ୍ଵକପ ହକି-୨୦୨୩ ର ପ୍ରସ୍ତୁତି କାର୍ଯ୍ୟ ରାଉରକେଲାରେ କିଭଳି ଚାଲିଛି ଏହାର ତଦାରଖ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ରାଉରକେଲାରେ ପହଂଚି ଥିଲେ । କୁହୁଡ଼ି ଯୋଗୁଁ ସେ ନିର୍ଦ୍ଧାରିତ ସମୟର ଏକ ଘଂଟା ବିଳମ୍ବରେ ପହଂଚି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ଏହାପରେ ରାଉରକେଲା ବିମାନବନ୍ଦରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏସବୁ କାମ ସରିବ ଓ ରାଉରକେଲା ସହରରେ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇ କ୍ରୀଡ଼ା ଉତ୍ସବ ଆୟୋଜିତ ହେବ । ଜାନୁଆରୀ ୧୩ ତାରିଖରୁ ଏହା ଆରମ୍ଭ ହୋଇ ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଉରକେଲାରେ ୨୦ଟି ମ୍ୟାଚ୍ ଖେଳାଯିବ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ୩୦ ନଭେମ୍ବର ସୁଦ୍ଧା ବିର୍ସାମୁଣ୍ଡା ଷ୍ଟାଡ଼ିୟମ ଏବଂ ରାଉରକେଲା ବିମାନବନ୍ଦରର ବାକି କାମ ଶେଷ ହେବ । ଏହାପରେ ଏଠାରେ ଏକ ପ୍ରୋ ଲିଗ୍ ମ୍ୟାଚ୍ ଇଣ୍ଡିଆନ ଟିମ୍ ଓ ଡେକାନ କଂଟ୍ରି ମଧ୍ୟରେ ଅନୁଷ୍ଠିତ ହେବ । ଫିଲଡ୍ କୁ ଟେଷ୍ଟ କରିବା ପାଇଁ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଗସ୍ତ ସମୟରେ ସେ ଏୟାରପୋର୍ଟରୁ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ସ୍ଥିତି ବାବଦରେ ମଧ୍ୟ ସମୀକ୍ଷା କରିଥିଲେ । ସେ ରୋଡ ଗୁଡକର କାମ ମଧ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଗଲାଣି । ଷ୍ଟାଡ଼ିୟମ ଚର୍ତୁପାର୍ଶ୍ଵରେ ପାର୍କିଂ ଏରିଆ ଗୁଡିକ ମଧ୍ୟ ଡେଭଲପ୍ ହୋଇଗଲାଣି । ଯାହାଦ୍ଵାରା ଖେଳ ଦେଖିବାକୁ ଆସିବାକୁ ଥିବା ହଜାର ହଜାର ସଂଖ୍ୟାରେ କ୍ରୀଡ଼ାପ୍ରେମୀ ସେମାନଙ୍କ ଗାଡିକୁ ସେଠାରେ ରଖିବେ । ସହଜରେ ଷ୍ଟାଡ଼ିୟମ୍ ମଧ୍ୟକୁ ପ୍ରବେଶ କରିପାରିବେ ଏବଂ ବାହାରିପାରିବେ । ଷ୍ଟାଡ଼ିୟମ୍ ମଧ୍ୟରେ ମଧ୍ୟ ଦର୍ଶକ ମାନଙ୍କ ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ଏଲଇଡ଼ି ସ୍କ୍ରିନ ଲାଗିବାର ମଧ୍ୟ ବ୍ୟବସ୍ଥା କରାଯିବ ।
ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ରାଉରକେଲା ଏସପିଙ୍କ ସମେତ ଆରଏସପି ଓ ଜିଲ୍ଲା ପ୍ରଶାସନର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଭୁବନେଶ୍ଵର ପ୍ରତ୍ୟାବର୍ତନ କରିଛନ୍ତି ।