ବୁଚାରେ ପୁଣି ରୁଷର ବର୍ବରତା ୭୨୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାରିଦେଲା ମସ୍କୋ ସେନା

ଡୁମାଣୀ ଟିଭି,୧୩/୪:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲଗାତାର ସାଧାରଣ ନାଗରିକମାନେ ମୃତ୍ୟୁର ଶିକାର ହେଉଛନ୍ତି। ବୁଚା ନରସଂହାର ପରେ ହୋଇଥିବା ଆଲୋଚନା ସତ୍ତ୍ୱେ ରୁଷ ସୈନ୍ୟ ସୁଧୁରୁ ନାହାନ୍ତି। ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନର ଇଣ୍ଟେରିୟର ମନ୍ତ୍ରାଳୟ ମୁତାବକ, ରୁଷ ପୁଣି ବର୍ବରତା ଦେଖାଇଛି। ରୁଷ ସୈନ୍ୟମାନଙ୍କ ଆକ୍ରମଣରେ ବୁଚା ଏବଂ କିଭ୍‌ର ବିଭିନ୍ନ ଉପନଗରରେ ୭୨୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଛନ୍ତି। ଯେତେବେଳେ କି, ୨୦୦ରୁ ଅଧିକ ଲୋକଙ୍କର କୌଣସି ପତ୍ତା ମିଳିପାରୁ ନାହିଁ।
ବୁଚାର ମେୟର ଅନାତୋଲି ଫେଡୋରୁକ କହିଛନ୍ତି, କେବଳ ବୁଚାରୁ ହିଁ ୪୦୩ ମୃତଦେହ ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାହିଁକି ନା, ଏହି ଅଞ୍ଚଳରେ ମାଇନ୍ସଓ୍ଵିପର୍ସ (ସମୁଦ୍ରରୁ ବିସ୍ଫୋରଣକାରୀ ମାଇନ୍‌ କାଢ଼ିନେବା ପାଇଁ ବ୍ୟବହୃତ ଜାହାଜ)ର ଯାଞ୍ଚ କରାଯାଉଛି। ୟୁକ୍ରେନର ଅଭିଯୋଜକ ଜେନେରାଲ କାର୍ଯ୍ୟାଳୟ ଅଧିକାରୀଙ୍କ କହିବା ହେଲା, ଶେବ୍‌ଚେନକୋଭ ଗାଁରେ ଏକ ବେସ୍‌ମେଣ୍ଟରୁ ୬ ନାଗରିକଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକରେ ଗୁଳିର ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା।

କୁହାଯାଉଛି ଯେ ଏଥିପାଇଁ ରୁଷ ସୈନ୍ୟ ହିଁ ଦାୟୀ। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ରୁଷ ଉପରେ ଆକ୍ରାତ୍ମକ ଢଙ୍ଗରେ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ହେଉଛି ‘ନରସଂହାର’।

#again bucha mass killing#bucha#DUMANITV#INDIA#international news#ODISHA#russia#ukrain