ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୭ ଗିରଫ

ଟିଟିଲାଗଡ : ଟିଟିଲାଗଡ ଥାନା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଚୋରି ଘଟାଉଥିବା ଅଭିଯୋଗ ପୋଲିସ ପାଖରେ ହସ୍ତଗତ ହେବା ପରେ ଟିଟିଲାଗଡ ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ସ୍କ୍ୱାଡ ହୋଇ ଧରପଗଡ ଜାରି ରଖିଥିଲେ । ୧୨ ତାରିଖ ରାତି ହାଇସ୍କୁଲ ଖେଳ ପଡିଆ ଠାରେ ସାତ ଜଣ ଯୁବକ ବସି ମଦ ପିଇ ଏକ ଡକାୟତି ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହାଙ୍କ ନେତୃତ୍ୱରେ ଏସଆଇ ନରେନ୍ଦ୍ର ଛତର, ଏଏସଆଇ ଦେବରାଜ ମାଝୀ, ପିଏସଆଇ ମାରୁତ୍‌ ଚନ୍ଦ୍ର ପ୍ରଧାନ, ଅମିୟ ପଟେଲ, ହିମାଂଶୁ ଭରାସାଗର, ଓଏପିଫ ପିତାମ୍ବର ପୂଜାରୀ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ ।

ବଙ୍ଗୋମୁଣ୍ଡାରେ ଜଣେ ବ୍ୟବସାୟୀ ଘରେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା, ଏବେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେଶ୍‌ କୁମାର ନାଏକ ସୂଚନା ଦେଇଛନ୍ତି । ଟିଟିଲାଗଡ ଥାନା ପରିସରରେ ଅତିରିକ୍ତ ଏସପିଶ୍ରୀ ସୁରେଶ କୁମାର ନାଏକ, ଥାନାଧିକାରୀ ରଞ୍ଜନ କୁମାର ବରିହା ସାମ୍ବାଦିକ ସମ୍ମିଳନୀରେ ଗିରଫ କରିଥିବା ୭ ଅଭିଯୁକ୍ତ ପୁର୍ବରୁ ବିଭିନ୍ନ ଘଟଣାରେ ସାମିଲ ଥିବା ମଧ୍ୟ କହିଛନ୍ତି । ଏହି ଅଭିଯୁକ୍ତମାନେ ହେଲେ ଟିଟିଲାଗଡ ହାଇସ୍କୁଲ ପଡ଼ାର କୈଳାଶ ଥାପା, ନରେସ ବାଗ, ଟାଙ୍ଗରପଡ଼ାର ନିରାକାର ବାରିକ, ଉଦେପୁରର ଖଗେଶ୍ୱର ଦାସ, ସିରଭଟା ପଡ଼ାର ରବି ଗୌଡ଼, ବ୍ଲକ୍‌ ପଡ଼ାର ଏମଡିଅଜୁ, ପିଡବଲୁଡି କଲୋନୀର ସୁକାନ୍ତ କୁମାର ମିଶ୍ର । ଏମାନଙ୍କଠାରୁ ଗୋଟିଏ ହାତ ତିଆରି ୯.୯ ରିବଲଭର, ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଛୁରି, ଆଇରନ ରଡ, ରସି, ପ୍ଲାସ, କାଟିବା ଯନ୍ତ୍ର, ନଗଦ ୧୩୪୦ ଟଙ୍କା, ଦୁଇଟି ଚୋରା ମୋବାଇଲ ଫୋନ ଜବତ କରାଯାଇଛି । ଗୋଟିଏ ବଡ଼ ଧରଣର ଡ଼କାୟତି ଉଦ୍ୟମ ପଣ୍ଡ କରିବାରେ ଟିଟିଲାଗଡ ପୋଲିସ ସଫଳ ହୋଇଛି ।

#odishanews #titalagadhapolice#arrested #businessman