ଭୁବନେଶ୍ୱର, 22 ଜୁଲାଇ – ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଆଗାମୀ ୨ ସପ୍ତାହ ଭିତରେ ଜବାବ ଦେବାକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଏହି ନୋଟିସ୍ ଜାରି କରିଛନ୍ତି । ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଥିଲେ, ମାଟିର ଝିଅଙ୍କୁ ଭୋଟ ଦେଲି । ତାଙ୍କ ବିଜୟରେ ମୋର ଗୋଟିଏ ଭୋଟ୍ ମିଶିଲେ ମୁଁ ଗର୍ବିତ ହେବି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ହୁଇପ୍ ଜାରି ହୋଇ ନଥାଏ । ଏଣୁ ମୁଁ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି । ଜଣେ ଓଡ଼ିଆ ହିସାବରେ ମୁଁ ଏହି ନିଷ୍ପତି ନେଇଛି । ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା ।