ମହିଳାଙ୍କୁ ଦୃବ୍ୟବହାର କରିବା ମହଙ୍ଗା ପଡିଲା ବିଜେପି ନେତାଙ୍କୁ । ନଏଡାର ଏକ ସୋସାଇଟିରେ ଜଣେ ମହିଳାଙ୍କ ଗଛ ଲଗାଇବାକୁ ନେଇ ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ସହ ଅଭଦ୍ରାମି କରିଥିଲେ। ନିଜକୁ ଦବଙ୍ଗ ନେତା କହୁଥିବା ଏହି ନେତା ସେହି ମହିଳାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏଥିସହ ମାରପିଟ୍ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଅଭିଯୁକ୍ତ ନେତା ନିଜ ଫ୍ଲାଟ ଆଖପାଖରେ ଜବରଦଖଲ କରି ରଖିବା ସହ ସୋସାଇଟିର ମେଣ୍ଟେନାନ୍ସ ଚାର୍ଜ ମଧ୍ୟ ଦେଇନଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ ଆକ୍ସନ ମୁଡରେ ଆସିଥିଲେ ଯୋଗୀ ସରକାର। ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହାପର ଠାରୁ ସେ ଫେରାର ହୋଇଯାଇଥିଲେ।ଘଟଣାର ତିନି ଦିନ ପରେ ପୋଲିସ ତାଙ୍କୁ ଆଜି ଗିରଫ କରିଛି। ଶ୍ରୀକାନ୍ତ ତ୍ୟାଗୀ ଲଗାତାର ତାଙ୍କ ପତ୍ନୀ ଓ ଓକିଲଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ । ଯାହାଦ୍ୱାରା ପୋଲିସ ଶ୍ରୀକାନ୍ତଙ୍କ ଲୋକେସନ ଜାଣି ବାରେ ସକ୍ଷମ ହୋଇଥିଲା । ଏହାପରେ ପୁଲିସର ଏକ ଟିମ୍ ଫେରାର ନେତାଙ୍କୁ କାବୁ କରିଥିଲା। ଶ୍ରୀକାନ୍ତ ତ୍ୟାଗୀ ଫେରର ହେବା ପରେ ନଏଡା ପୁଲିସ ମଙ୍ଗଳବାର ଦିନ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିଲା। ଶୁକ୍ରବାର ଦିନ ମଧ୍ୟ ଶ୍ରୀକାନ୍ତଙ୍କ ପତ୍ନୀଙ୍କୁ ପୁଲିସ ଅଟକ ରଖି ୨୪ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହାପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ଶ୍ରୀକାନ୍ତଙ୍କ ଯିଏ ସୂଚନା ଦେବ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା ମଧ୍ୟ କରିଥିଲା। ପୋଲିସ ସୂଚନା ଅନୁସାରେ ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଧାରା ୩୦୭ ସମେତ ଅନେକ ଗୁରୁତର ଆକ୍ଟରେ ମୋଟ ୯ଟି ମାମଲା ରୁଜୁ ହୋଇଛି।