ଡୁମାଣୀ ଟିଭି,୭/୪: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧକୁ ଇତି ମଧ୍ୟରେ ୪୨ ଦିନ ହେଲାଣି। ଉଭୟ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରୁନାହିଁ। ରୁଷ ଆକ୍ରମଣରେ ୟୁକ୍ରେନ୍ର ସବୁ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏବେ ଯାଏଁ କୋଟିଏରୁ ଊର୍ଦ୍ଧ୍ୱ ୟୁକ୍ରେନ୍ବାସୀ ଦେଶ ଛାଡ଼ି ସାରିଲେଣି। ତେବେ ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟେଲ୍ଟେନ୍ବର୍ଗ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ୍ ବିରୋଧରେ ରୁଷ୍ର ଯୁଦ୍ଧ ମାସେ କି ଦୁଇ ମାସ ନୁହେଁ, ବର୍ଷେ ଯାଏଁ ଚାଲିପାରେ। ଏଣୁ ସମସ୍ତେ ଏବେ ୟୁକ୍ରେନ୍କୁ ସାହାଯ୍ୟ କରିବା ଉଚିତ୍।
ଏହା ପୂର୍ବରୁ ମାର୍ଚ୍ଚ ୨୪ରେ ନାଟୋ ସେକ୍ରେଟାରୀ କହିଥିଲେ, ଆମେ ଦେଖୁଛୁ ଯେ ରୁଷ ଏବେ ୟୁକ୍ରେନ୍ ଉପରେ ଆମେରିକା ଓ ନାଟୋର ସହଯୋଗରେ ରାସାୟନିକ ଓ ଜୈବିକ ଅସ୍ତ୍ର ବ୍ୟବହାର କରିବା ଲାଗି ପ୍ରସ୍ତୁତି କରୁଥିବା ନେଇ ଅଭିଯୋଗ କରୁଛି। ଏହି ଅଭିଯୋଗ କରି ସେ ନିଜେ ଏହାକୁ ବ୍ୟବହାର କରିବାକୁ ବାଟ ଖୋଜୁଛି। ସେ କହିଛନ୍ତି, ରାସାୟନିକ ଅସ୍ତ୍ରର ବ୍ୟବହାରର ପରିଣାମ ବହୁତ ଖରାପ ହେବ।
ସୂଚନାଯୋଗ୍ୟ ଯେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଏବେ ଭୟାବହ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍ର ବୁଚା ସହରରୁ ଲୋମଟାଙ୍କୁରି ଉଠିବା ଭଳି ଫଟୋ ଏବେ ସାମ୍ନାକୁ ଆସୁଛି। ୟୁକ୍ରେନ୍ ଦାବି କରୁଛି ଯେ ବୁଚାରେ ରୁଷ ସେନା ସାଧାରଣ ଜନତାଙ୍କୁ ହତ୍ୟା କରୁଛନ୍ତି। ମୃତ ଲୋକଙ୍କ ଶବ ରାସ୍ତାରେ ଏଣେତେଣେ ପଡ଼ିଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏହାକୁ ‘ନରସଂହାର’ ବୋଲି କହିଛନ୍ତି।
ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆପଣ ଦେଖୁଛନ୍ତି ବୁଚାରେ କଣ ହୋଇଛି। ପୁଟିନ୍ ଜଣେ ଓ୍ଵାର କ୍ରିମିନାଲ। ସେ କହିଛନ୍ତି ଯେ ପୁଟିନ୍ଙ୍କ ବିରୋଧରେ ଓ୍ଵାର କ୍ରିମିନାଲ ଅନୁସାରେ ମକଦ୍ଦମା ହେବା ଦରକାର।