ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ବାହାର ହେବ ରୁଷ ?

ଡୁମାଣୀ ଟିଭି,୭/୪: ୟୁକ୍ରେନର ବୁଚା ସହରରେ ରୁଷ ସେନା ଦ୍ଵାରା ଜନ ସାଧାରଣଙ୍କ ନିର୍ମମ ହତ୍ୟା ହୋଇଛି। ଏହି ଘଟଣା ସମଗ୍ର ବିଶ୍ଵଜାତିକୁ ବ୍ୟଥିତ କରିଛି। ଏହାର ପ୍ରତିବାଦରେ ରୁଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାରି ଆଡୁ ଦାବି ହୋଇଛି। ମିଳିତ ଜାତିସଂଘ ମହାସଭା(ୟୁଏନଜିଏ) ଏପ୍ରିଲ ୭ରେ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ରୁ ରୁଷକୁ ବହିଷ୍କାର କରିବା ଉପରେ ମତଦାନ ହେବ। ମିଳିତ ଜାତିସଂଘର ପ୍ରମୁଖ ସଂଗଠନ ରୁଷକୁ ନିଲମ୍ବିତ କରିବ କି ନାହିଁ ତା ଉପରେ ମତଦାନ କରିବ। ଏହା ପୂର୍ବରୁ ଆମେରିକା ଏବଂ ବ୍ରିଟେନ ମଧ୍ୟ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରିବାକୁ କହିଥିଲେ।
ୟୁକ୍ରେନର ରାଜଧାନୀ କିଭର ଉପନଗର ବୁଚାରୁ ନାଗରିକଙ୍କ ଶହ ଶହ ଶବର ଭୟାନକ ଦୃଶ୍ୟ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦୁନିଆରେ ଚହଳ ପଡିଛି। ମିଳିତ ଜାତିସଂଘରେ ଆମେରିକାର ରାଜଦୂତ ଲିଣ୍ଡା ଥମାସ ଗ୍ରୀନଫିଲ୍ଡ ରୁଷକୁ ୪୭ ଜଣିଆ ମାନବାଧିକାର ପରିଷଦରୁ ହଟାଇବାକୁ ଆହ୍ଵାନ କରିଛନ୍ତି।

ଏହି ନିର୍ମମ କାଣ୍ଡକୁ ସମଗ୍ର ଦୁନିଆରେ ନିନ୍ଦା କରାଯାଉଛି। ରୁଷ ଉପରେ କଡା କଟକଣା ଲଗାଇବାକୁ ଦାବି ଉଠିଛି। କିନ୍ତୁ ରୁଷ ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛି। ଥମାସ ଗ୍ରୀନଫିଲ୍ଡ ସୋମବାର କହିଥିଲେ, ରୁଷ ସେନା ହିଁ ୟୁକ୍ରେନରେ ଏହି କାଣ୍ଡ କରିଛନ୍ତି। ତେଣୁ ଏଥିରେ ରୁଷ ଉତ୍ତରଦାୟୀ ରହିବା ଦରକାର।

#putin#russia president#RUSSIAN#russian and ukrainian war