ଅଡୁଆରେ ବଲିଉଡ୍ ଅଭିନେତା ରଣବୀର ସିଂ । ନଗ୍ନ ହୋଇ ଫଟୋସୁଟ କରିବା ପଡିଲା ମାହାଙ୍ଗା । ତେବେ ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଥିବାବେଳେ, ଫଟୋସୁଟକୁ ନେଇ ଏବେ ବି ଲୋକମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ଭିତରେ ଏବେ ରଣବୀରଙ୍କ ଅଡୁଆ ଆହୁରି ବଢିଯାଇଛି, ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ରଣବୀରଙ୍କ ନଗ୍ନ ଫଟୋକୁ ନେଇ FIR ରୁଜୁ ହୋଇଛି । ଗୋଟିଏ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ବ୍ୟକ୍ତି ରଣବୀରଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ଏହା ସହିତ ତାଙ୍କ ଗିରଫଦାରୀ ପାଇଁ ଜୋରଦାର ଦାବି କରାଯାଇଛି । ତେବେ ଉଲଗ୍ନ ଫଟୋସୁଟ କାରଣରୁ ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ରଣବୀରଙ୍କ ନଗ୍ନ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜ୍ୟା ଅନୁଭବ ହେବ । ଏହାସମାଜ ପାଇଁ ନିନ୍ଦନୀୟ । ତେଣୁ ଏହି ସମସ୍ତ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ଉକ୍ତ ଏନଜିଓ ତରଫରୁ ମାମଲା ରୁଜୁ କରିଥିବା ଓକିଲଙ୍କ କହିବା ମୁତାବକ, ସେ ରଣବୀରଙ୍କ ଗିରଫଦାରୀ ଚାହୁଁଛନ୍ତି । ପୋଲିସ ଏହାର ଯାଞ୍ଚ ପାଇଁ ତାଙ୍କୁ ୪୮ ଘଣ୍ଟା ସମୟ ମାଗିଥିଲା । ଯାହାଫଳରେ ଆଜି ସକାଳୁ ସକାଳୁ ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଓକିଲଙ୍କ କହିବା ମୁତାବକ ଆଇପିସି ଧାରା ୨୯୨ ଅନୁସାରେ ରଣବୀରଙ୍କୁ ୫ ବର୍ଷ ଓ ଧାରା ୨୯୩ ଅନୁସାରେ ୩ ବର୍ଷ ପାଇଁ ଜେଲ୍ ହୋଇପାରେ ।