ରାଜ୍ୟରେ ଖାଲି ହେବ ୪ ରାଜ୍ୟସଭା ସିଟ୍ ତାକୁ ନେଇ ଚର୍ଚ୍ଚା

ଡୁମାଣୀ ଟିଭି ୩/୪:ରାଜ୍ୟରେ ଖାଲି ହେବ ୪ ରାଜ୍ୟସଭା ସିଟ୍। ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଜୁଲାଇରେ ସରୁଛି। ଏହା ସହ ରାଜ୍ୟସଭା ସାଂସଦ ସୁବାସ ସିଂହ କଟକ ମେୟର ନିର୍ବାଚିତ ହୋଇଛନ୍ତି, ତେଣୁ ସେ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବେ। ଏହି ୪ ସିଟରେ କିଏ ଯିବ ରାଜ୍ୟସଭା, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ସଂଖ୍ୟା ଖେଳରେ ୪ଟି ଯାକ ସିଟ ବିଜେଡିର ହାତେଇବା କ୍ଷମତା ରହିଥିବା ବେଳେ କିଏ ଦିଲ୍ଲୀ ଯିବେ ତାକୁ ନେଇ ପାୱାର କରିଡରରେ ଛକାପଞ୍ଝା ଚାଲିଲାଣି ।

ନବୀନ କେମିତି କଷିବେ ରାଜ୍ୟ ସଭା ଅଙ୍କ । କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ । ରାଜ୍ୟରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ସିଟକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଜୁଲାଇରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ ପୁରୁଛି । କଟକ ମେଟର ନିର୍ବାଚିତ ହୋଇଥିବା ସୁବାସ ସିଂହ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ରାଜ୍ୟରୁ ୪ଟି ରାଜ୍ୟସଭା ସିଟ ଖାଲି ହେବ । ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ୍ କରାଯାଇପାରେ। ଏହା ସହ ମାନସ ମଙ୍ଗରାଜ, ପ୍ରଦୀପ ମାଝୀ, ସୁଲତା ଦେଓ, ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି । ସୁବ୍ରତ ବାଗଚିଙ୍କ ପତ୍ନୀ ସମାଜସେବୀ ସୁସ୍ମିତା ବାଗଚିଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି ।
ରାଜ୍ୟସଭାରେ ପୂର୍ଣ୍ଣ କାର୍ଯ୍ୟକାଳ ୬ ବର୍ଷ ଥିବାବେଳେ ସସ୍ମିତ ପାତ୍ରଙ୍କ ଟର୍ମ ଥିଲା ମାତ୍ର ୩ ବର୍ଷ । ରାଜ୍ୟସଭା ଉପାଧ୍ୟକ୍ଷ ପାନେଲିଷ୍ଟ ଭାବରେ ରାଜ୍ୟ ପାଇଁ ଗୌରବ ଆଣିଥିବା ସସ୍ମିତଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ଥିଲା । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ରାଜ୍ୟ ସଭାରେ ଉଠାଇ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସସ୍ମିତ । ଫରଫରମାନ୍ସକୁ ସବୁବେଳେ ଗୁରୁତ୍ବ ଦେଉଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଣୁ ସସ୍ମିତଙ୍କୁ ରାଜ୍ୟସଭାର ପୂର୍ଣ୍ଣକାଳୀନ ସିଟରେ ପୁଣି ଥରେ ଦିଲ୍ଲୀ ପଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଗଣମାଧ୍ୟମ ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ନାଁ ବି ରାଜ୍ୟସଭା ରେସ୍‌ରେ ଆଗରେ ରହିଛି ।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ସରକାରଙ୍କ ଆଭିମୁଖ୍ୟକୁ ଗଣମାଧ୍ୟମରେ ସଠିକ ଭାବେ ରଖିବା ଓ ଦଳର କଥାକୁ ମିଡିଆରେ ସଠିକ ଯୁକ୍ତିରେ ପହଁଚାଇବାରେ ସେ ତାଙ୍କ ଦକ୍ଷତା ଦେଖାଇଛନ୍ତି । ଦଳର ନେତୃତ୍ବଙ୍କ ଭିତରେ ସମନ୍ବୟ ରକ୍ଷା କରି ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଁଚାଇବା ଓ ଦଳର ସାଙ୍ଗଠନିକ କାମରେ ମାନସଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏଥି ସହିତ ପଞ୍ଚାୟତ ଓ ପୌର ନିର୍ବାଚନରେ ମାନସ ମଙ୍ଗରାଜଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ମିଳିଥିଲା ସେଠାରେ ଦଳ ଭଲ ପ୍ରଦର୍ଶନ କରିଛି । ତେଣୁ ମାନସ ମଙ୍ଗରାଜଙ୍କୁ ପୁରଷ୍କୃତ କରି ନବୀନ ରାଜ୍ୟସଭା ଟିକେଟ ଧରାଇ ପାରନ୍ତି ବୋଲି କୁହାଯାଉଛି ।
ସେମିତି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀଙ୍କ ନାଁ ମଧ୍ୟ ରାଜ୍ୟ ସଭା ଯିବା ନେଇ ଚର୍ଚ୍ଚାରେ ରହିଛି । ପ୍ରଦୀପଙ୍କୁ ରାଜ୍ୟସଭା ପଠାଇ ଦକ୍ଷିଣ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ତାଙ୍କୁ ଦାୟିତ୍ଵ ଦେଇ ପାରନ୍ତି ବିଜେଡି ସୁପ୍ରିମୋ । ମହିଳାଙ୍କୁ ଗୁରୁତ୍ବ ଦେଉଥିବା ନବୀନ ୪ ସିଟରୁ ଗୋଟିଏ କିମ୍ବା ଦୁଇଟି ସିଟରେ ମହିଳାଙ୍କୁ ଦିଲ୍ଲୀ ପଠାଇ ପାରନ୍ତି । ରେସ୍‌ରେ, ସୁଲତା ଦେଓ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁ ମଧ୍ୟ ଶୁଣା ଯାଉଛି । ସୁଲତା ଦଳର କଥାକୁ ମୁଖପାତ୍ର ଭାବେ ବଳିଷ୍ଠ ଯୁକ୍ତି ରଖି ଆସୁଛନ୍ତି ।
ସେହିପରି ଶ୍ରୀମୟୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ଉଭୟ ପଶ୍ଚିମ ଓଡିଶା ଓ ମହିଳା କୋଟା ପୂରଣ କରିପାରନ୍ତି ନବୀନ । ସମାଜ ସେବୀ ସୁସ୍ମିତା ବାଗଚୀଙ୍କ ନାଁ ମଧ୍ୟ ରାଜ୍ୟସଭା ରେସ୍ ଚର୍ଚ୍ଚାରେ ରହିଛି । ରାଜ୍ୟ ସଭା ଅଙ୍କକୁ ନେଇ ପାୱାର କରିଡର ସରଗରମ ହେଲାଣି ।ତେବେ ସବୁବେଳେ ଭିନ୍ନ ନିଷ୍ପତ୍ତି ନେଇ ସରପ୍ରାଇଜ୍‌ ଦେଉଥିବା ନବୀନ ଆକଳନ ସହ ଯିବେ ନାଁ ଆଉ କିଛି ନୂଆ ନାଆଁରେ ମୋହର ମାରିବେ ତା ଘୋଷଣା ବେଳେ ଜଣା ପଡିବ ।

#bjd#DUMANITV#INDIA#naveen pattnayak#ODISHA