ରାଜ୍ୟସଭାକୁ ନିର୍ବାଚିତ ହେଲେ ୨୨ଜଣ ସଦସ୍ୟ.

ରାଜ୍ୟସଭାକୁ ଆଜି ୨୨ ଜଣ ନିର୍ବାଚିତ ହୋଇଛନ୍ତି।ଉତ୍ତରପ୍ରଦେଶରୁ ୧୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ବିଜେପିର। ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ୮ ବିଜେପି ସଦସ୍ୟ ହେଉଛନ୍ତି ଲକ୍ଷ୍ମୀକାନ୍ତ ବାଜପେୟୀ, ଡିଆର୍‌ ରାଧା ମୋହନ ଦାସ ଅଗ୍ରୱାଲ, ସୁରେନ୍ଦ୍ର ନାଗର, ଡ. କେ ଲକ୍ଷ୍ମଣ, ମିଥିଳେଶ କୁମାର, ବାବୁରାମ ନିଶାଦ, ସଂଗୀତା ଯାଦବ ଏବଂ ଦର୍ଶନା ସିଂହ। କପିଲ ସିବଲ ଏବଂ ଆରଏଲ୍‌ଡି ସଭାପତି ‌ଜୟନ୍ତ ଚୌଧୁରୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଉଭୟ ସମାଜବାଦୀ ପାର୍ଟି ସମର୍ଥନରେ ନିର୍ବାଚିତ ହୋଇଛନ୍ତି। ସମାଜବାଦୀ ପାର୍ଟିର ଜାଭେଦ ଅଲି ମଧ୍ୟ ନିର୍ବାଚିତ ହୋଇଛନ୍ତି। ବିହାରରେ ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ଼ ଝିଅ ମିସା ଭାରତୀଙ୍କ ସମେତ ମୋଟ୍‌ ୫ ଜଣ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ୪ ସଦସ୍ୟ ହେଉଛନ୍ତି ଫୟାଜ ଅହମଦ (ଆର୍‌ଜେଡି), ଖିରୁ ମାହତୋ (ଜେଡିୟୁ), ସତୀଶ ଚନ୍ଦ୍ର ଡୁବେ ଏବଂ ଶମ୍ଭୁ ଶରଣ ପଟେଲ ( ବିଜେପି)। ଏଥିସହ ରାଜ୍ୟସଭାରେ ଆର୍‌ଜେଡି ସଂଖ୍ୟା ୬କୁ ବୃଦ୍ଧି ପାଇବ। ସେହିପରି ତାମିଲନାଡ଼ୁରେ କଂଗ୍ରେସ ନେତା ପି ଚିଦମ୍ବରମ ଏବଂ ଅନ୍ୟ ୫ ଜଣ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।