ଡୁମାଣୀ ଟିଭି ,୩୦/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ଆଉ ମାତ୍ର ଦିନ କେଇଟା ବାକି। ତେବେ ମିଳିତ ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ସେମାନଙ୍କ ନିକଟରେ ୧୭୨ ସାଂସଦଙ୍କ ସମର୍ଥନ ଥିବାର ମଙ୍ଗଳବାର ଦାବି କରିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନାରେ ପିଏମଏଲ(ଏନ) ନେତା ରାଣା ସନାଉଲ୍ଲାହ ଏହି ଦାବି କରିଛନ୍ତି। ଏଥିରେ ଯଦି ସ୍ୱାଧୀନ ସାଂସଦଙ୍କ ସମର୍ଥନ ଯୋଗାଡ କରାଯାଏ ତେବେ ଜାତୀୟ ଆସେମ୍ବ୍ଲିରେ ସେମାନଙ୍କ ସଂଖ୍ୟାମତ ୧୯୦କୁ ପାର କରିଯିବ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ନିର୍ଦ୍ଦଳୀୟଙ୍କୁ ବାଦ ଦେଇ ମିଳିତ ବିରୋଧୀ ଦଳ ୧୭୨ ସାଂସଦଙ୍କ ସମର୍ଥନ ହାସଲ କରିସାରିଛି। ଏଥିରେ ଯଦି ନିର୍ଦ୍ଦଳୀୟଙ୍କୁ ସାମିଲ କରିଦିଆଯାଏ ବିରୋଧୀଙ୍କ ଭୋଟ ୧୯୦କୁ ଟପି ଯିବ। ଉଲ୍ଲେଖ ଯୋଗ୍ୟୟେ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ୨୮ ମାର୍ଚ୍ଚ ସୋମବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ମିଳିତ ବିରୋଧୀ ଦଳ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ।
ବିରୋଧୀ ଦଳଙ୍କ ଆଗାମୀ ପ୍ରଧାନମନ୍ତ୍ରୀ ଚେହେରା ଶାହାବାଜ ସରିଫ ଜାତୀୟ ସଭାରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ। ସଦନରେ ପ୍ରସ୍ତାବ ଗୃହୀତ ହେବା ଲାଗି ଏବେ ଆଉ ୬ ଦିନ ସମୟ ଅଛି। ୩୧ ମାର୍ଚ୍ଚ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରହିଛି। ପୁଣି ଅଧିବେଶନ ଆରମ୍ଭ ହେଲେ ଅବିଶ୍ୱାସ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। ତେବେ ଇମ୍ରାନଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାଗ୍ୟର ନିଷ୍ପତ୍ତି ଏପ୍ରିଲ ୪ ତାରିଖ ଦିନ ହେବ।
୩୪୨ ସଦସୀୟ ନ୍ୟାସନାଲ ଆସେମ୍ବ୍ଲିରେ ଇମ୍ରାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ମୋଟ ସଦସ୍ୟଙ୍କ ସଂଖ୍ୟା ୧୫୫। ଏଣୁ ସରକାର ଏମକ୍ୟୁଏମ-ପି (୭ ସାଂସଦ), ବିଏପି (୫ ସାଂସଦ), ପିଏମଏଲ-କ୍ୟୁ (୫ ସାଂସଦ), ଜିଡିଏ (୩ ସାଂସଦ), ଏଏମଏଲ, ଜେଡବ୍ଲୁପିର ଜଣେ ଲେଖାଏଁ ସାଂସଦ ଓ ୨ନିର୍ଦ୍ଦଳୀୟ ସାଂସଦଙ୍କ ଭରସାରେ ଚାଲିଛି। ଏଣୁ ସଂସଦରେ ଇମ୍ରାନଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ହେଲେ ବିରୋଧୀଙ୍କୁ ଅତି କମରେ ୧୭୨ ଭୋଟ ହାସଲ କରିବାକୁ ହେବ।
ଏଣୁ ଇମ୍ରାନଙ୍କ ପାର୍ଟି ସଂସଦରେ ସହଯୋଗୀ ପିଏମଏଲ-କ୍ୟୁର ସମର୍ଥନ ପ୍ରାପ୍ତ କରିବା ଲାଗି ଦଳର ନେତାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଯାଚିଥିବା ବେଳେ ଏମକ୍ୟୁଏମ-ପିକୁ ଫୁସଲେଇବା ପାଇଁ ମଧ୍ୟ ଉଦ୍ୟମ ଜୋରଦାର କରିଛି। ଏବେ ଏହି ଦଳକୁ ଦେଶର ସମୁଦ୍ର ବ୍ୟାପାର ମନ୍ତ୍ରାଳୟ ଦେବାକୁ ଏବେ ଯୋଜନା କରୁଥିବା ଜଣାପଡିଛି।