ହିରୋ ଢଙ୍ଗରେ ମିସାଇଲ ଟେଷ୍ଟ କଲେ କିମ୍ ଜୋଙ୍ଗ-ଉନ୍‌

ଡୁମାଣୀ ଟିଭି ,୨୭/୩ : ଉତ୍ତର କୋରିଆ ଗୁରୁବାର ଏକ ନୂଆ ଅର୍ନ୍ତମହାଦ୍ବୀପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣର ପ୍ରଚାର ପାଇଁ ଦେଶର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍-ଉନ ଯେଉଁ ଭିଡିଓ ଜାରି କରିଛନ୍ତି, ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଜୋର୍ ଧରିଛି। ଏକ ଖବର ମୁତାବକ, ଉତ୍ତର କୋରିଆ ଘାତକ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦେଖାଇବାକୁ ଯାଇ ଏକ ନୂଆ ଫୁଟେଜ୍ ଜାରି କରିଛି। ଏହି ଫୁଟେଜକୁ ‘ଟପ୍ ଗନ’ ଫିଲ୍ମର ଏକ ଦୃଶ୍ୟ ସହିତ ତୁଳନା କରାଯାଇଛି। କିମଙ୍କୁ ଏହି ଭିଡିଓରେ ତାଙ୍କ ଅଭିନୀତ ଭୂମିକା ପାଇଁ ‘୮୦ ଦଶକର ଆକ୍ସନ ଷ୍ଟାର’ କୁହାଯାଉଛି।

ଫୁଟେଜରେ କିମ୍ ଜୋଙ୍ଗ୍ ଦୁଇ ସେନାଙ୍କ ଘେରରେ ରହି ହଠାତ୍ ଗୋଦାମ ଘରୁ ପ୍ରକଟ ହେଉଛନ୍ତି। ଗୋଦାମ ଘରର ବିରାଟ ଡୋର୍ ଆପେ ଖୋଲି ଯାଉଛି। ତିନି ଜଣ ଯାକ ସ୍ଲୋ ମୋଶନରେ ଚାଲି ଚାଲି କ୍ୟାମେରା ଆଡ଼କୁ ଆସୁଛନ୍ତି। ଏହାପରେ କିମ୍ ନାଟକୀୟ ରୂପେ ନିଜର ବାମ ପଟକୁ ଇଙ୍ଗିତ କରୁଛନ୍ତି, ପୁଣି ଡାହାଣ ପଟକୁ ନଜର ବୁଲାଉଛନ୍ତି।
ଅର୍କେଷ୍ଟ୍ରା ମୁଜିକ୍ ବାକଗ୍ରାଉଣ୍ଡରେ ବାଜୁଛି ଏବଂ ପୁଣି କ୍ୟାମେରା ହ୍ବାସୋଙ୍ଗ-୧୭ ମିସାଇଲ୍କୁ ଦେଖାଉଛି। ଏହାପରେ କ୍ୟାମେରା ପୁଣି କିମ୍ ଜୋଙ୍ଗଙ୍କ ପାଖକୁ ଆସୁଛି। ସେ ଧୀରେ ଧୀରେ ଚଷମା ଖୋଲୁଛନ୍ତି ଏବଂ ଆଙ୍ଗୁଠି ଦେଖାଇ କିଛି ଈଶାରା କରୁଛନ୍ତି। ଈଶାରା ପାଇବା କ୍ଷଣି ହିଁ ମିସାଇଲର ବଟନ ଦବାଇ ଦିଆଯାଉଛି ଏବଂ ମିସାଇଲ ଆକାଶ ଉପରକୁ ଉଠୁଛି। ଏହି ପରୀକ୍ଷଣ ସଫଳ ହେବା ପରେ ସମସ୍ତ ଲୋକ ଉତ୍ସବ ମନାଉଛନ୍ତି।
ସୂଚନାଥାଉ କି, ଗୁରୁବାର ଉତ୍ତର କୋରିଆ ୧୩ତମ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି। ଏହି ପରୀକ୍ଷଣକୁ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ନିନ୍ଦା କରିଛନ୍ତି।

#DUMANITV#INDIA#international news#kim jong un#north korean#north korean missile lanuch#ODISHA#world