ୟୁକ୍ରେନ୍‌ ମେୟରଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ରୁଷ ସେନା

ଡୁମାଣୀ ଟିଭି ,୫/୪ :ଧୀରେ ଧୀରେ ୟୁକ୍ରେନ୍‌ ଛାଡ଼ୁଛନ୍ତି ରୁଷ୍‌ ସେନା। ରୁଷ ସେନା ଯିବା ପରେ ଏବେ ସହରର ବିଭିନ୍ନ ସ୍ଥାନରୁ ଶବ ମିଳିବା ଆରମ୍ଭ ହୋଇଛି। ବୁଚା ସହରରେ ଶତାଧିକ ମୃତଦେହ ମିଳିବାପରେ ଏବେ ପଶ୍ଚିମ କିଭ୍‌ର ଏକ ଗାଁରୁ ମେୟର ଓ ତାଙ୍କ ପରିବାର ଲୋକଙ୍କ ଶବ ଜବତ ହୋଇଛି। ମେୟରଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ମୋଟ ୫ ଜଣଙ୍କ ଶବ କରିଛି ପୋଲିସ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତଙ୍କ ହାତ ପଛ ଆଡ଼ୁ ବନ୍ଧା ଯାଇଛି।
ପୋଲିସ ମୁତାବକ, କିଭ୍‌ର ପଶ୍ଚିମରେ ସ୍ଥିତ ଏକ ଗାଁରେ ୫ ଜଣ ନାଗରିକଙ୍କ ଶବ ହାତ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଛି। ଏମାନଙ୍କ ମଧ୍ୟରେ ମେୟର, ତାଙ୍କ ସ୍ୱାମୀ ଓ ପୁଅଙ୍କ ଶବ ବି ରହିଛି। ଏହି ଶବ ମୋତିଝିନ୍‌ରେ ମେୟରଙ୍କ ଘର ସୀମାକୁ ଲାଗିଥିବା ଦେବଦାରୁ ଜଙ୍ଗଲରେ ମିଳିଛି। ୪ଟି ଶବ ମାଟି ତଳେ ଅଧା ପୋତା ଥିବା ଅବସ୍ଥାରେ ମିଳିଥିବା ବେଳେ ଗୋଟିଏ କୂଅରୁ ଜବତ କରାଯାଇଛି।

ସ୍ଥାନୀୟ ପୋଲିସର ସୂଚନା ମୁତାବକ, ୫୦ ବର୍ଷୀୟ ମେୟର ଓଲ୍‌ଗା ସୁଖେଙ୍କୋ, ତାଙ୍କ ସ୍ୱାମୀ ଓ ପୁଅକୁ ମାର୍ଚ୍ଚ ୨୪ରେ ରୁଷ୍‌ ସେନା ଅପହରଣ କରି ନେଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମେୟର ଓ ତାଙ୍କ ସ୍ୱାମୀ ରୁଷ୍‌ ସେନାକୁ ସାହାଯ୍ୟ କରିବାକୁ ମନା କରି ଦେଇଥିଲେ। ଏଣୁ ସେମାନେ ତାଙ୍କୁ ଅପହରଣ କରି ନେଇ ହତ୍ୟା କରିଥିବା ଅନୁମାନ କରାଯାଉଛି।

ପ୍ରକାଶ ଯେ ମାର୍ଚ୍ଚ ୧୧ରେ ଦକ୍ଷିଣ ୟୁକ୍ରେନ୍‌ରେ ମେଲିଟୋପୋଲର ମେୟରଙ୍କୁ ରୁଷ୍‌ ସୈନ୍ୟ ଅପହରଣ କରି ନେଇଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କୁ ଛାଡ଼ି ଦେଇଥିଲେ।

ବୁଚାରୁ ମିଳିଛି ଡଜନେ ଶବ:
ମୋଟିଜାହିନ୍‌ଠାରୁ ପାଖାପାଖି ୩୦ କିଲୋମିଟର ଉତ୍ତରରେ ସ୍ଥିତ ବୁଚା ସହରରୁ କୁଢ଼ କୁଢ଼ ଶବ ମିଳିଛି। ଏସବୁ ଶବ ରାସ୍ତା ଓ କବରସ୍ଥାନରେ ଇତସ୍ତତ ଅବସ୍ଥାରେ ପଡ଼ିଛି। ବୁଚାର ଏକ ଗଳିରେ ପାଖାପାଖି ୨୦ଟି ଶବ ପଡ଼ିଥିବା ଦେଖାଯାଇଛି। ସେହିପରି ଆଉ ଏକ ସ୍ଥାନରେ ୧୦-୧୫ ଜଣଙ୍କ ମୃତ ଦେହ ପଡ଼ିଛି। ଏଇଥିରୁ ଜଣାପଡ଼ୁଛି ରୁଷ୍‌ ସେନାଙ୍କ ଆକ୍ରମଣ କେତେ ଭୟଙ୍କର ଥିଲା।

#dead body of mayor family#DUMANITV#INDIA#ODISHA#people#russia army#ukrainian#world war