୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ

-ଲୋଅର ଇନ୍ଦ୍ର ପ୍ରକଳ୍ପ ସ୍ଥଳରେ ଏକ ସାଇଂସ ପାର୍କ ଓ ସଂଗ୍ରହାଳୟ ହେବ

ଭୁବନେଶ୍ୱର: ୨୦୨୨ ସୁଦ୍ଧା ନୂଆପଡା ର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାୟ ପ୍ରକଳ୍ପର କାମ ଚାଲିଛି ବୋଲି ନୂଆପଡା ଗସ୍ତରେ ଯାଇ ନିଜର ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଲୋଅର ଇନ୍ଦ୍ର ପ୍ରକଳ୍ପ ସ୍ଥଳରେ ଏକ ସାଇଂସ ପାର୍କ ଓ ସଂଗ୍ରହାଳୟ ହେବ । ପିଲାମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ ।

ନୂଆପଡାର ପାଣି ରେ ରହିଛି ଫ୍ଲୋରାଇଡର ସମସ୍‌ଯା । ଏହା ହେଉଛି ଜିଲ୍ଲା ବାସୀଙ୍କ ବଡ ସମସ୍ୟା ।ଫ୍ଲରାଇଡ ପାଣି ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ । ୧୦୦୦ ରୁ ଅଧିକ ଫ୍ଲରାଇଡ ରିମୋଭାଲ ପ୍ଲାଂଟ ସ୍ଥାପନା କରା ଯାଇଛି । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ପାରିଛି । କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା ମଧ୍ୟ ଦିଆଯାଇଛି ।

ସେ କହିଛନ୍ତି ଯେ ଲୋଅର ଇନ୍ଦ୍ର ଏ ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଟି ଗାଁର ୧,୮୦,୦୦୦ ଲୋକ ଉପକାର ପାଇବେ ।

ସେ କହିଛନ୍ତି ଯେ ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ । ଲୋୱର ଇନ୍ଦ୍ର ପ୍ରଜେକ୍ଟ ଅଂଡରଗ୍ରାଉଣ୍ଡ ପାଇପଲାଇନ ଟେକ୍ନୋଲଜୀ ରେ ହୋଇଛି । ତେଣୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଁ ଘୋଷଣା କରୁଛି ।

ସେ କହିଛନ୍ତି ଯେ ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି ।ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା ୫୪ ପ୍ରତିଶତ ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଚାଷ, ମକା ଚାଷ ମଧ୍ୟ ବଢିଛି ।

ସେ କହିଛନ୍ତି ଯେ ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ ଖେଳ ଗତିବିଧି ସହିତ ନୂଆପଡା ଯୋଡି ହେବ । ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ । ଖଡିଆଳ ଅଟୋନମସ କଲେଜରେ ଖେଳ ଫେସିଲିଟି ର ବିକାଶ କରାଯିବ । ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ ।

ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ ।ନୂଆପଡା ଭେଲା ଗାଁ ର ମା ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ଅବସରରେ ସେହି ସଂଗ୍ରାମୀ ମା ମାନଙ୍କୁ ମୋର ପ୍ରଣାମ ଜଣାଉଛି । ଆପଣ ଜାଣନ୍ତି ୨୦୨୨ ରେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ ।

ସେ କହିଛନ୍ତି ଯେ ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ସେ ପ୍ରକାଶ କରିଛନ୍ତି ।