ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ ପହଞ୍ଚିଛି ଏବଂ ୪୧୪ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ କରୋନାଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୪୧୪ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୧୪୨, ୧୮୬ରେ ପହଞ୍ଚିଛି। ଗତକାଲିର ନୂତନ ସଂକ୍ରମିତଙ୍କ ଠାରୁ ଆଜିର ନୂତନ ସଂକ୍ରମିତଙ୍କ ସଂଖ୍ୟା ୬.୭% କମ୍ ରହିଛି। ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୭, ୫୨୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୨, ୯୦, ୮୩୪। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬୩, ୭୪୯ । ଏହାଛଡ଼ା, କରୋନାଭାଇରସ୍ ଚିକିତ୍ସା ନିମନ୍ତେ ଉତ୍ସର୍ଗୀକୃତ ବୋଲି ଘୋଷଣା କରାଯିବା ଦିନରୁ ଦିଲ୍ଲୀର ରାଷ୍ଟ୍ରାୟତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍’ରେ ସଫଳତାର ସହ ୧୦, ୦୦୦ କୋଭିଡ୍-୧୯ ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଛି। ଏକଥା ଗୁରୁବାର ଦିନ ହସ୍ପିଟାଲ୍ ତରଫରୁ ଘୋଷଣା କରାଯାଇଛି।