ଉତ୍ତରପ୍ରଦେଶରେ ଛାତିଥରା ଅଘଟଣ : ଶ୍ମଶାନ ଛାତ ଭୁଶୁଡ଼ି ୨୫ ମୃତ, ୩ ଗିରଫ

ଉତ୍ତରପ୍ରଦେଶ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୩ ଗିରଫ –

୨୦ରୁ ଅଧିକ ଆହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗାଜିଆବାଦ: ଉତ୍ତରପ୍ରଦେଶ ମୁରାଦନଗରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବଢିଛି । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ରବିବାର ଉତ୍ତରପ୍ରଦେଶ ମୁରାଦନଗର ଶ୍ମଶାନ ଘାଟରେ ଥିବା ଏକ ଆଶ୍ରୟସ୍ଥଳୀ ଛାତ ଭୁଶୁଡ଼ି ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ବନ୍ଧୁ ପରିଜନମାନେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ରକ୍ଷା ପାଇଯାଇଛି।

ମୁରାଦନଗର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାରିକା ଚୌହାନ, କନିଷ୍ଠଯନ୍ତ୍ରୀ ଚନ୍ଦ୍ରପାଲ, ସୁପରଭାଇଜର ଆଶିଷ, ଠିକାଦାର ଅଜୟ ତ୍ୟାଗୀଙ୍କ ନାଁରେ ମୁରାଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଗତକାଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ଯାଇଥିବା ବେଳେ ଛାତ ଭୁଶୁଡ଼ିଥିଲା। ଅଘଟଣ ନେଇ ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ଗାଜିଆବାଦ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୬୪ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗତ କିଛି ମାସ ତଳେ ଶବଦାହ ଗୃହର ଉନ୍ନତୀକାରଣ କାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାରଙ୍କୁ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ନିର୍ମାଣ କାର୍ଯ୍ୟର ତଦାରଖ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯାଇ ନଥିବା ମାନିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେପଟେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାରେ ଗତକାଲି ମୃତାହତଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକବାର୍ତ୍ତା ଜଣାଇଥିଲେ।

ମୁରାଦନଗର ଶ୍ମଶାନ ଘାଟରେ ମୁରାଦନଗରର ଜଣେ ବ୍ୟକ୍ତିଙ୍କ ଶବଦାହ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ବର୍ଷା ହେବାରୁ ୫୦ରୁ ଅଧିକ ବ୍ୟକ୍ତି ଶବଦାହ ସ୍ଥଳରେ ଥିବା ଆଶ୍ରୟସ୍ଥଳୀରେ ଅପେକ୍ଷା କରିଥିଲେ। ଏହି ସମୟରେ ଆଶ୍ରୟ ସ୍ଥଳ ଛାତ ଅଚାନକ ଭୁଶୁଡ଼ି ପଡ଼ିଥିଲା। ସେଠାରେ ଅପେକ୍ଷା କରିଥିବା ସମସ୍ତ ବ୍ୟକ୍ତି ଛାତ ତଳେ ଫସି ରହିଯାଇଥିଲେ। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ ତଳେ ଚାପି ହୋଇ ରହିଥିବା ୨୦ ଜଣଙ୍କ ମୃତଦେହକୁ ବାହାର କରାଯାଇଥିଲା ଏବଂ ଅନ୍ୟ ୨୦ ଜଣ ଗୁରୁତର ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଛି ।

ଭୁଶୁଡ଼ି ପଡ଼ିଥିବା ଶ୍ମଶାନ ଆଶ୍ରୟସ୍ଥଳ ମାତ୍ର ‌ଅଢ଼େଇ ମାସ ତଳେ ନିର୍ମାଣ ହୋଇଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଛାତ ନିର୍ମାଣ କରାଯାଇଥିବାରୁ ଏଭଳି ଭୟାନକ ଘଟଣା ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିରଟ୍‌ ଡିଭିଜିନାଲ୍‌ କମିସନର ଏବଂ ଏଡିଜିଙ୍କୁ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ସରକାର କହିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିରଟ୍‌ ଡିଭିଜିନାଲ୍‌ କମିସନର ଅନିତା ମେଶ୍ରାମ କହିଛନ୍ତି।