ନୂଆଦିଲ୍ଲୀ: ତୃତୀୟ ଦିନରେ ଦେଶବ୍ୟାପୀ ବ୍ୟାପକ ସ୍ତରରେ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ୭,୭୦୪ ଟୀକାକରଣର ଅଧିବେଶନ ଜରିଆରେ ଆଜି ସୁଦ୍ଧା ମୋଟ ୩,୮୧,୩୦୫ ଲାଭାର୍ଥୀଙ୍କର ଟୀକାକରଣ କରାଯାଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ଆନ ଆଡଭର୍ସ ଇଭେଣ୍ଟ ଫଲୋଇଂ ଇମ୍ୟୁନାଇଜେସନ (ଏଇଏଫଆଇ) ବା ଟୀକାକରଣ ପରେ ଦେଖା ଦେଉଥିବା ଏକ ପ୍ରତିକୂଳ ପ୍ରଭାବ ହେଉଛି ଏକ ଆକସ୍ମିକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଟୀକାକରଣ ପରେ ଦେଖାଦେଇପାରେ। ଏହା ଟୀକା କିମ୍ବା ଟୀକାକରଣ ପ୍ରକ୍ରିୟା ସହିତ ଜଡ଼ିତ ହୋଇପାରେ କିମ୍ବା ହୋଇନପାରେ।
ବର୍ତ୍ତମାନସୁଦ୍ଧା ୫୮୦ ଜଣଙ୍କ କ୍ଷେତ୍ରରେ ଏଇଏଫଆଇ ଦେଖାଦେଇଛି। ଏଥିମଧ୍ୟରୁ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଦେଖାଦେଇଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଅଚେତ ହୋଇଯାଇଥିବା ଜଣଙ୍କୁ ପତପରଗଞ୍ଜସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଡାକ୍ତରୀ ଚିକିତ୍ସାରେ ରଖାଯାଇଛି। ସେହିପରି ଉତ୍ତରାଖଣ୍ଡରେ ଦେଖାଦେଇଥିବା ଏଇଏଫଆଇ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ରିଷିକେଶସ୍ଥିତ ଏମ୍ସରେ ଚିକିତ୍ସା କରାଯାଉଛି। ଛତିଶଗଡ଼ରେ ଜଣେ ବ୍ୟକ୍ତି ରାଜନନ୍ଦନଗାଓଁସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କର୍ଣ୍ଣାଟକରେ ଏଇଏଫଆଇ ଦୁଇ ଜଣଙ୍କ କ୍ଷେତ୍ରରେ ଦେଖାଦେଇଛି ଏବଂ ଜଣଙ୍କୁ ଚିତ୍ରଦୁର୍ଗସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ଜଣେ ଚିତ୍ରଦୁର୍ଗର ଚାଲ୍ଲାକେରେସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନଙ୍କର ମୃତ୍ୟୁର କାରଣ ଟୀକା ଗ୍ରହଣ କରିବା ନୁହେଁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ଉତ୍ତରପ୍ରଦେଶ ମୋରାଦାବାଦର ଜଣେ ବ୍ୟକ୍ତି ୧୬ ଜାନୁଆରୀ ୨୦୨୧ରେ ଟୀକା ନେଇଥିବା ବେଳେ ତାଙ୍କର ୧୭ ଜାନୁଆରୀ ୨୦୨୧ ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଟୀକା ନୁହେଁ, ବରଂ ସେ ହୃଦରୋଗ ଏବଂ ଫୁସଫୁସଜନିତ ରୋଗ କାରଣରୁ ମୃତ୍ୟୁବରଣ କରିଛନ୍ତି।
କର୍ଣ୍ଣାଟକର ବେଲାରୀରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ ୧୬ ଜାନୁଆରୀ, ୨୦୨୧ରେ ଟୀକା ନେଇଥିଲେ ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମଧ୍ୟ ହୃଦରୋଗ ଏବଂ ଫୁସଫୁସ ଜନିତ ରୋଗ ରହିଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକର ବେଲାରୀ ସ୍ଥିତ ବିଜୟନଗର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଠାରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।