କେନ୍ଦୁଝର ଜିଲ୍ଲାର ୪.୨ ଲକ୍ଷ ପରିବାର ପାଇବେ ସ୍ମାର୍ଟ କାର୍ଡର ସୁବିଧା

-ଜିଲ୍ଲାର ସବୁ ପରିବାରକୁ ୨୦୨୨ ଡିସେମ୍ବର ସୁଦ୍ଧା ପାଇପ ପାଣି ସୁବିଧା ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ
-କେନ୍ଦୁଝରରେ ୧୪୩୩ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାରଏହି ସୁବିଧା ପାଇବେ । କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

କେନ୍ଦୁଝରକୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ଗଢିବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । କେନ୍ଦୁଝରର ସବୁ ଗାଁ, ସବୁ ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜନଜାତି ଭାଇ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ କୁକୁଡା ପାଳନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ୩୦ ହଜାର ଜନଜାତି ଭାଇ ଭଉଣୀ ଉପକାର ପାଇବେ ବୋଲି ସେ କହିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ ପାଇଁ ଏଥିପାଇଁ କାମ କରିଥିବା ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ । ପୁଷ୍ଟି ନିରାପତା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଭଲ ପ୍ରଦର୍ଶନ କରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଓ କେନ୍ଦୁଝର ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଯୋଗ ଦେଇ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ଓଡିଶାର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ । ବିଶେଷକରି, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସାରା ଦେଶରେ ଅନେକ ଜୀବନ ବଂଚାଇବାରେ ସଫଳ ହୋଇଥିଲା ବୋଲି ସେମାନେ କହିଥିଲେ । କେନ୍ଦୁଝରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି଼ ବୋଲି ପ୍ରକାଶ କରି ସେମାନେ ବିଭିନ୍ନ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ ।