ଡେଲଟା ଭାରିଏଣ୍ଟରେ ୪ ସିଂହ ସଂକ୍ରମିତ

ଚେନ୍ନାଇ : ଭାରତରେ ପ୍ରଥମଥର ଠାବ ହୋଇଥିବା ଡେଲଟା ଭାରିଏଣ୍ଟ ଏବେ ପଶୁମାନଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛନ୍ତି । ତାମିଲନାଡୁର ଭାନଦାଲୁର ସ୍ଥିତ ଅରିଙ୍ଗନର ଆତ୍ତା ଜୁଲୋଜିକାଲ ପାର୍କରେ ଥିବା ୪ଟି ସିଂହ ଏହି ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କିଛିଦିନ ତଳେ ସିଂହ ଗୁଡ଼ିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ସେମାନଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲେ । ଏହି ପରୀକ୍ଷା ସମୟରେ ସମସ୍ତେ ମାରାତ୍ମକ ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସିଂହମାନଙ୍କ ଶରୀରରୁ ଡେଲଟା ଭାରିଏଣ୍ଟ ଠାବ ହୋଇଥିବାରୁ ଚିଡ଼ିଆଖାନା କର୍ତ୍ତୃକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମେ’୨୪ରେ ଚିଡ଼ିଆଖାନା କର୍ତ୍ତୃକ୍ଷ ପ୍ରଥମେ ୪ଟି ଓ ମେ’ ୨୯ରେ ଆଉ ୭ଟି ସିଂହ ନମୁନା କରୋନା ପରୀକ୍ଷା ପାଇଁ ପଠାଇଥିଲେ । ଭୋପାଲରେ ଥିବା ଏହି ନମୁନା ଗୁଡ଼ିକର ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଜୁନ୍ ୩ରେ ଏନଆଇଏଚ୍ଏସଏଡି ପକ୍ଷରୁ ୯ଟି ସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଚିଡ଼ିଆଖାନା କର୍ତ୍ତୃକ୍ଷଙ୍କୁ ଜଣାଇଥିଲେ । ଏହାପରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିଡ଼ିଆଖାନା କର୍ତ୍ତୃକ୍ଷ ସିଂହମାନଙ୍କ ଜେନୋମ ସିକ୍ୱେନ୍ସିଂ ବା ସେମାନେ କେଉଁ ଧରଣର ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଜାଣିବାକୁ ଚାହିଁଥିଲେ । ନମୁନାର ଅଧିକ ପରୀକ୍ଷା ପାଇଁ ସେମାନେ ଏନଆଇଏଚ୍ଏସଏଡିକୁ ଅନୁରୋଧ କରିଥିଲେ । ଏହାପରେ ୪ଟି ସିଂହ ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସୂଚନାଯୋଗ୍ୟ ଚଳିତ ମାସରେ ଗୋଟିଏ ୯ ବର୍ଷୀୟ ସିଂହୀ ଓ ୧୨ ବର୍ଷୀୟ ସିଂହ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତେବେ ଏମାନେ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ସେକଥା ଜଣାପଡ଼ିନି ।