୫.୬୨ଲକ୍ଷ ଭାରତୀୟଙ୍କ ଫେସବୁକ୍ ଡାଟା ଚୋରି

କେମ୍ବ୍ରିଜ୍ ଆନାଲିଟିକା ନାଁରେ ମାମଲା

ନୂଆଦିଲ୍ଲୀ: ଭାରତରେ ୫.୬୨ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ । ୨୦୧୮ ମସିହାରେ ଏହାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ଅଭିଯୋଗ ପ୍ରମାଣିତ ହେବା ପରେ ଯାଞ୍ଚ ଏଜେନ୍ସି, ବ୍ରିଟେନର ଏହି କମ୍ପାନୀମାନଙ୍କ ବିରୁଦ୍ଧରେ କେସ୍ ଫାଇଲ କରିଛି ।

ସିବିଆଇ କହିବା ମୁତାବକ,ଡାଟା ଚୋରି ମାମଲାରେ ତଦନ୍ତ କରିବା ପାଇଁ ଫେସବୁକ୍ ଏବଂ କେମ୍ବ୍ରିଜ୍ ଆନାଲିଟିକାକୁ ନିୟମ ଉଲ୍ଲଂଘନ, ତଥ୍ୟଗୁଡିକର ଦୁରୂପଯୋଗ, ପ୍ରୋଫାଇଲିଂ ଏବଂ କମ୍ପାନୀ ସମ୍ବନ୍ଧିତ ଡାଟା ଦୁରୂପଯୋଗର ତଥ୍ୟ ମଗାଯାଇଥିଲା । ଏହି ତଥ୍ୟର ବ୍ୟବହାର ଗତ ନିର୍ବାଚନ ବେଳେ କରିବାର ସମ୍ଭାବନା ଥିଲା । ତେବେ ଏହାକୁ ନେଇ ଫେସବୁକ୍ ତାର ସଫେଇରେ କହିଥିଲା ଯେ, ପ୍ରାୟ ୫.୬୨ ଲକ୍ଷ ଭାରତୀୟ ୟୁଜରଙ୍କର ତଥ୍ୟ ଅବୈଧ ଭାବେ ନିଆଯାଇଥିଲା ।

ଅନ୍ୟପଟେ କେମ୍ବ୍ରିଜ୍ ଆନାଲିଟିକା ଜବାବ ଦେଇଥିଲା ଯେ, ତାକୁ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କେବଳ ବ୍ରିଟେନ୍ ୟୁଜରମାନଙ୍କ ତଥ୍ୟ ମିଳିଥିଲା । ବ୍ରିଟେନର ଏହି ଦୁଇ କମ୍ପାନୀ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ଏବଂ ଆଇଟି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି ଯେ, ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଡଃ.ଆଲେକଜେଣ୍ଡାର କୋଗନ୍ ‘ଦିସ୍ ଇଜ୍ ୟୋର ଡିଜିଟାଲ ଲାଇଫ’ ନାମରେ ଏକ ଆପ୍ଲିକେସନ୍ ତିଆରି କରିଥିଲେ ।

ଫେସବୁକ୍ ପ୍ଲାଟଫର୍ମ ପଲିସି ଅନୁଯାୟୀ ଏହି ଆପ୍କୁ କେବଳ ଶିକ୍ଷଣୀୟ ଏବଂ ଅନୁସନ୍ଧାନ ଉଦ୍ଦେଶ୍ୟ ପାଇଁ ବ୍ୟବହାରକାରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଏକାଠି କରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏହି ଆପ୍ ଅବୈଧ ଭାବେ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରୁଥିଲା ।