ମାଲକାନଗିରି: ବର୍ତ୍ତମାନ ସାରା ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା ବେଳେ ଆଜି ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜିକୁ ୬ ଦିନ ହେଲା ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗ ପାଲି ପଞ୍ଚାୟତ ଅନ୍ତର୍ଗତ ବୁଦାଖାଲ ଗ୍ରାମର କୋଷା ମାଡ଼ି ଙ୍କ କନ୍ୟା ଚନ୍ଦ୍ରୀ ମାଡ଼ି କୁ କେହି ରାତିରେ ମଟର ସାଇକେଲରେ ବସାଇ ଅନ୍ୟତ୍ର ନେଇଯାଇଥିବା ପରିବାର ବର୍ଗ ସନ୍ଦେହ ସୂଚନା ଦେଇଛନ୍ତି। ୬ ଦିନ ପର୍ଯ୍ୟନ୍ତ କନ୍ୟାର କୌଣସି ସନ୍ଧାନ ନ ପାଇବାରୁ ଆଜି କାଲିମେଳା ଥାନାରେ ଏକ ନିଖୋଜ ଏବଂ ଅପହରଣ ମାମଲା ରୁଜୁ କରିବା ନିମନ୍ତେ ଥାନାକୁ ଯାଇଥିବା ମା ପଦୀଏ ମାଡ଼ି ଏବଂ ପିତା କୋଷା ମାଡ଼ି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଛାତ୍ରୀ ଚନ୍ଦ୍ରୀ ମାଡ଼ି କନ୍ୟା ଆଶ୍ରମ ବାଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରୀ। କରୋନା କଟକଣା ଯୋଗୁ ବିଦ୍ୟାଳୟ ବନ୍ଦ ଥିବାରୁ ସେ ଘରେ ରହି ପାଠ ପଢ଼ୁଥିଲେ। ତେବେ ବର୍ତ୍ତମାନ ସେ ହଠାତ ନିଖୋଜ ହୋଇଯାଇଥିବା ହେତୁ ପରିବାର ଲୋକେ ଚିନ୍ତିତ ରହିଥିବା ଜଣାପଡିଛି।