ଆନ୍ଧ୍ରରେ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ : ପ୍ରତିବାଦରେ ଜୁଲାଇ ୧ ରେ ବନ୍ଦ ଡାକରା

ମାଲକାନଗିରି : ଜୁଲାଇ ୧ରେ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀଙ୍କ ଦ୍ବାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ କମିଟିର ସଚିବ ଗଣେଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରରେ ୬ ଜଣ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସଂଗଠନ ବଡ ଚିନ୍ତାରେ ପଡିଛି । ଏହି ଆକ୍ରମଣକୁ କେବେ ଭୁଲିବ ନାହିଁ ବୋଲି ସଂଗଠନ କହିଛି ।

ଗୋଟିଏ ପଟେ କରୋନାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ୧୬ ତାରିଖରେ ହୋଇଥିବା ଏନକାଉଣ୍ଟରରେ ସଂଗଠନର ବଡ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ହିସାବ ଆମେ ଦେବୁ ବୋଲି ସଂଗଠନ କହିଛି ।ଏହା ଏକ ବଡ ଅପୂରଣୀୟ କ୍ଷତି ବୋଲି ପାର୍ଟି ସ୍ବୀକାର କରିଛି । ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଆନ୍ଧ୍ର ଓଡିଶା ସୀମା ଡିଭିଜନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବୁଦ୍ଧିଜୀବୀ, ଗଣମାଧ୍ୟମ, ଜନସାଧାରଣଙ୍କୁ ମାଓ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।