ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ କ୍ରମରେ ଶୁକ୍ରବାର ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ୮ ଜଣଙ୍କୁ ମିଶାଇ ବର୍ତମନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିସ୍କାର କରାଯାଇଛି ।

ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟର ଦାୟିତ୍ୱରେ ଥିବା ଓ.ଏ.ଏସ୍ ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ ।

ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଂଟନରେ ଅନିୟମିତତାର ଅଭିଯୋଗ ଥିଲା । ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତନ ତଥା ରାଜସ୍ୱ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଂଚାଇଥିଲେ ।

ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍ ଯାଂଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ଏହାପରେ ତାଙ୍କ ସମ୍ପତି ଉପରେ ଚଢଉ କରାଗଲା ବେଳେ ଅନେକ ପରିମାଣର ଆୟ ବହିର୍ଭୂତ ସମ୍ପତି ଠାବ କରାଯାଇଥିଲା ।

କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍ ର ବିଶ୍ୱନାଥପୁରଠାରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ୱୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍ ରହିଛି । ତାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ପୁଷ୍ପାଂଜଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଂଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା । ତଲାସୀ ସମୟରେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତି ଠାବ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗୀରରେ ଗୋଟିଏ ଦ୍ୱିତଳ ପ୍ରାସାଦ, ଗୋଟିଏ ଟାଟା ନେକ୍ସନ କାର୍, ୩ଟି ପ୍ଲଟ୍ ଏବଂ ତାସହିତ ନିଜର ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରାଯାଇଛି ।

ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଂଟ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍େଟମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ତଳାସୀ ସମୟରେ ବ୍ରହ୍ମପୁର ସହରରେ ୬୦ ଲକ୍ଷ ଟଙ୍କା ବିଶିଷ୍ଟ ଏକ ମହଲା ବିଶିଷ୍ଟ କୋଠାଘର, ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ମିଳିଛି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ରେ କ୍ୟାସିଅର ଭାବରେ କାମ କରୁଥିବା ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଂଚ ନେଇଥିଲେ । ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି । ତାଙ୍କ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।

ଉପରୋକ୍ତ ୮ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।