ସୁଇସାଇଡ୍ ନୋଟ୍ରେ ତଥ୍ୟ
ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ରୁଜୁ କରିଛି। ଏହାସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ କରିଛି। ପୋଲିସ୍ ସୂଚନା ଅନୁସାରେ, ଅକ୍ଟୋବର ୩ରେ ସମ୍ପୃକ୍ତ ଯୁବତୀ କମରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ, ନିର୍ଯାତନା ଓ ହତ୍ୟା ଧମକ ଦେବା ଭଳି ଅଭିଯୋଗ ଆଣିଥିଲେ। ହେଲେ ଅଭିଯୋଗ କରିବା ପରେ ମହିଳା ଜଣକ କହିଥିଲେ ଯେ ତାଙ୍କ ସହ ସେମିତି କିଛି ବି ହୋଇନଥିଲା ଓ ଏହି ଘଟଣାକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ। କୋର୍ଟରେ ତାଙ୍କର ଏହି ବୟାନ ରେକର୍ଡ କରାଯିବା ସହ ଏହି ବୟାନ ଆଧାରରେ ଫାଇନାଲ୍ ରିପୋର୍ଟ ଦାଖଲ କରାଯାଇଥିଲା। ତେବେ ଅକ୍ଟୋବର ୨୪ରେ ସମ୍ପୃକ୍ତ ଯୁବତୀ କମରୁଦ୍ଦିନ,ତାଙ୍କ ମାମୁ ମୁବିନ୍ ଓ ଜଣେ ସାଙ୍ଗ ଅବରାର୍ଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ କହିଥିଲେ, ଅକ୍ଟୋବର ୧୬ରେ କମରୁଦ୍ଦିନ ତାଙ୍କୁ ଡାକିଥିଲେ ଓ ୩ଜଣ ବ୍ୟକ୍ତି ତାଙ୍କୁ ମୁବିନ୍ଙ୍କ ଆଲିଗଡ଼ ସ୍ଥିତ ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଯୋଗୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଯୁବତୀଙ୍କ ଆତ୍ମହତ୍ୟା ପରେ ପୋଲିସ୍ର ତତ୍ପରତା ଦେଖିବାକୁ ମିଳିଛି। କାର୍ଯ୍ୟରେ ଅବହେଳା ଯୋଗୁ ଘଟଣାର ତଦନ୍ତ କରୁଥିବା ଅଧିକାରୀ, ସର୍କଲ ଅଫିସର ଓ ଅନୁପଶହର ପୋଲିସ୍ ଷ୍ଟେସନର ଇନ୍-ଚାର୍ଜଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।