କଟକ: କଟକ ଜିଲ୍ଲା ଲାଲବାଗ୍ ଥାନା ଅଂଚଳ ମାନସିଂପାଟଣାରୁ ଜଳନ୍ତା ଘର ମଧ୍ୟରୁ ଜଣେ ଯୁବତୀଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ଘଟଣାରେ ପୀଡ଼ିତାଙ୍କ ବାପା ଗତକାଲି ସଂନ୍ଧ୍ୟାରେ ଡ଼ିସିପି ପ୍ରତୀକ ସିଂହଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ତାଙ୍କ ଝିଅକୁ ହତ୍ୟା ଉଦ୍ୟମ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟା ଉଦ୍ୟମ, ତେଣୁ ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ସେ ଦାବି କରିଛନ୍ତି । କଟକ ଏସିପି ଏନେଇ ସୂଚନା ଦେଇ କହିଛନ୍ତି ଯେ, ପୀଡ଼ିତାଙ୍କ ବାପା ଗତକାଲି ସଂନ୍ଧ୍ୟାରେ ଡ଼ିସିପିଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ମାମଲା ଅତ୍ୟନ୍ତ ଗୁରୁତର । ସେ ନିଜେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ଘଟଣାରେ ଗୁରୁତର ଛାତ୍ରୀ ସମ୍ପ୍ରତି ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ରହିଛନ୍ତି । କ୍ରମଶଃ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ନେଇ ମେଡ଼ିକାଲ ସୂତ୍ରରୁ ଜଣାପଡିଛି ।
ପ୍ରକାଶ ଥାଉ କି, ଯୁବତୀ ଜଣକ ସ୍ଥାନୀୟ ଏକ କଲେଜରେ ପାଠ ପଢୁଥିବା ବେଳେ ଘରଭଡ଼ା ନେଇ ଏଠାରେ ରହୁଥିଲେ । ଗତକାଲି ଜଳନ୍ତା ଘର ମଧ୍ୟରୁ ଜଣେ ସମ୍ପୃକ୍ତ ଯୁବତୀଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କିଏ ଓ କାହିଁକି ତାଙ୍କୁ ଏପରି ହତ୍ୟା ଉଦ୍ୟମ କରିଥିଲେ, ଘରେ କିପରି ନିଆଁ ଲାଗିଲା ଲାଲବାଗ ଥାନା ପୋଲିସ ପକ୍ଷରୁ ସେନେଇ ଛାନଭିନ୍ ଜାରୀ ରହିଛି ।